Unknown

 

 

 

 

 

 

 

 

 

 

କ’ଣ ? କାହିଁକି ? କିପରି ?

(ପ୍ରଥମ ଭାଗ)

ବଳରାମ ମହାନ୍ତି

 

କାହିଁକିରୁ ବିଜ୍ଞାନର ଜନ୍ମ

 

ମନୁଷ୍ୟ ସଭ୍ୟତାର ଆଦିଯୁଗରେ ପ୍ରକୃତିର ସମସ୍ତ କ୍ରିୟା ଓ ପ୍ରତିକ୍ରିୟାକୁ ଐଶୀ ଶକ୍ତିର ପ୍ରକାଶ ବୋଲି ଗ୍ରହଣ କରି ନେଇଥିଲା, ମାତ୍ର କାଳକ୍ରମେ କାହିଁକି ଏହା ହେଉଛି ବୋଲି ଜାଣିବାକୁ କୌତୂହଳ ପ୍ରକାଶ କଲା । ସେହି କାହିଁକିରୁ ବିଜ୍ଞାନର ଜନ୍ମ ।

 

ସଭ୍ୟତାର ବିକାଶ ସଙ୍ଗେ ସଙ୍ଗେ ବିଜ୍ଞାନର ବିକାଶ ଘଟିଲା ଏବଂ ବିଜ୍ଞାନ ସଭ୍ୟତାର ବିକାଶରେ ସହାୟକ ହେଲା । ସେତେବେଳେ କୌଣସି ଯନ୍ତ୍ରପାତି ନ ଥିଲା । ମଣିଷର ମସ୍ତିଷ୍କ ତଥା ଆଖି, କାନ ଏବଂ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଥିଲା ତା’ର ଅଧ୍ୟୟନ ଓ ଗବେଷଣାର ସାଧନ । ତେଣୁ ଗୋଟିଏ ଗୋଟିଏ ବିଷୟରେ ଉତ୍ତର ପାଇବାପାଇଁ ତାକୁ ବହୁକାଳ ଲାଗିଯାଇଥିଲା ।

 

ଏହି ପୁସ୍ତକରେ ଦୁଇଟି ବିଷୟର ସୂଚନା ଦିଆଯାଇଛି । ଗୋଟିଏ ହେଲା–ସମୟ; ଆଉ ଗୋଟିଏ ହେଲା–ପୃଥବୀ । ମନୁଷ୍ୟ ଯେତେବେଳେ ଜନ୍ମଲାଭ କଲା ସେତେବେଳେ ତା’ର ସମୟ ଜାଣିବା ଦରକାର ନ ଥିଲା, ମାତ୍ର ମନୁଷ୍ୟ ସମାଜ ଯେତେବେଳେ ଗୋଷ୍ଠୀ ବାନ୍ଧି ରହିଲା ସେତେବେଳେ ତା’ର ସମୟ ଜାଣିବା ଦରକାର ହେଲା । ନିର୍ଦ୍ଦିଷ୍ଟ ସମୟ ଜାଣିବାପାଇଁ ତଥା ସମୟର ସୀମା ନିର୍ଦ୍ଧାରଣ କରିବାପାଇଁ ମନୁଷ୍ୟ ନାନା ଉପାୟରେ ଉଦ୍ୟମ କଲା । ସେହିପରି ୪୬୦ କୋଟି ବର୍ଷ ତଳର ପୃଥ‌ିବୀପୃଷ୍ଠରେ ପ୍ରଥମେ କିପରି ବର୍ଷା ହେଲା, ପ୍ରଥମେ କିପରି ଜୀବନ ସୃଷ୍ଟି ହେଲା ତାହା ଜାଣିବାପାଇଁ କୌତୂହଳ ପ୍ରକାଶ ପାଇବା ସ୍ଵାଭାବିକ ।

 

ସେତେବେଳେ କୌଣସି ଯନ୍ତ୍ରପାତି ନ ଥିବାରୁ ଏହା ଜାଣିବା ପାଇଁ ହଜାର ହଜାର ବର୍ଷ ଲାଗିଯାଇଛି । ମନୁଷ୍ୟ ସାଧନାର ପ୍ରଥମାବସ୍ଥାରେ ଏହି କେତୋଟି ବିଷୟ କେବଳ ପିଲାଙ୍କ ପାଇଁ ନୁହେଁ ସମସ୍ତଙ୍କ ପାଇଁ କ’ଣ କିପରି ଓ କାହିଁକି ?

 

ବିନୀତ

ବଳରାମ ମହାନ୍ତି

☆☆☆

 

ସୂଚୀପତ୍ର

 

୧.

ସମୟର ଜନ୍ମ, ସମୟର ପିଲାଦିନ କେମିତି ଥିଲା ?

୨.

ପୃଥ‌ିବୀ ଓ ଜୀବନର ଜନ୍ମ

୩.

ପୃଥ‌ିବୀ ଉପରେ ପ୍ରଥମ ବର୍ଷା କେମିତି ହେଲା ?

୪.

ଜୀବନର ଇତିହାସ କେଉଁଠୁ ମିଳିଲା ?

୫.

ପୃଥ‌ିବୀର ପିଲାଦିନ କିପରି ଥିଲା ?

୬.

କମ୍ପ୍ୟୁଟର ଦ୍ଵିତୀୟ ମହାଯୁଦ୍ଧରେ ଇଂଲଣ୍ଡକୁ କିପରି ରକ୍ଷାକଲା ?

୭.

କମ୍ପ୍ୟୁଟର କିପରି ଡାକ୍ତରଙ୍କ କାମ କରୁଛି ?

୮.

କମ୍ପ୍ୟୁଟର ଆକାର କିପରି ଛୋଟ ଅଥଚ ଶକ୍ତିଶାଳୀ ହେଲା ?

☆☆☆

 

ସମୟର ଜନ୍ମ ସମୟର ପିଲାଦିନ କେମିତି ଥିଲା ?

 

ବର୍ତ୍ତମାନ କେତେ ସମୟ ହୋଇଛି ବୋଲି ଗୋଟିଏ ପିଲାକୁ ପଚାରିଦେଲେ ସେ ଘଣ୍ଟା ଦେଖି କେତେ ଘଣ୍ଟା, କେତେ ମିନିଟ ଓ କେତେ ସେକେଣ୍ଡ ହୋଇଛି ତାହା ସଙ୍ଗେ ସଙ୍ଗେ କହି ଦେଉଛି । କେତେକ ଘଣ୍ଟାରୁ ଆଜି କେତେ ତାରିଖ ଓ କି ବାର ଜାଣି ହୋଇଯାଉଛି । ଆଉ କେତେକ ଏମିତି ଘଣ୍ଟା ତିଆରି ହେଲାଣି ଯେ ସେଥିରୁ ସେକେଣ୍ଡକର ଲକ୍ଷେ ଭାଗରୁ ଭାଗେ ସମୟ ଜାଣି ହୋଇଯାଉଛି–ଏଗୁଡ଼ିକୁ କୁହାଯାଉଛି ପରମାଣୁ ଘଣ୍ଟା । ବିଶ୍ୱବିଖ୍ୟାତ ବୈଜ୍ଞାନିକ ଆଇଜାକ ନିଉଟନ୍‌ଙ୍କ ଭାଷାରେ ସମୟର ସ୍ରୋତ ଅନାଦି କାଳରୁ ସମାନ ଭାବରେ ପ୍ରବାହିତ ହୋଇ ଚାଲିଛି, ମାତ୍ର ମନୁଷ୍ୟ ତା’ର ସୁବିଧା ସକାସେ ସମୟକୁ ଭାଗ ଭାଗ କରିବାପାଇଁ ତଥା ନିର୍ଦ୍ଦିଷ୍ଟ ସମୟ ଜାଣିବା ନିମନ୍ତେ ପରିକଳ୍ପନା କରିଆସିଛି । ଏ ଦିଗରେ ମନୁଷ୍ୟ ଯେଉଁ ପ୍ରାଥମିକ ସଫଳତା ହାସଲ କରିଥିଲା ତାହାହିଁ ସମୟର ପିଲାଦିନ ବୋଲି କୁହାଯାଇପାରେ ।

 

ମନୁଷ୍ୟ ଯେତେବେଳେ ପର୍ବତଗୁମ୍ଫାରେ ବାସ କରୁଥିଲା ସେତେବେଳେ ମଧ୍ୟ ତା’ର କେତେକ କାର୍ଯ୍ୟପାଇଁ ନିର୍ଦ୍ଦିଷ୍ଟ ସମୟ ଜାଣିବା ଦରକାର ହେଉଥିଲା । ସେତେବେଳେ ସୂର୍ଯ୍ୟର ଗତି ଥିଲା ମନୁଷ୍ୟର ସମୟ ମାପିବାର ଏକମାତ୍ର ଉପାୟ । ମନୁଷ୍ୟ ଦେଖୁଥିଲା–ସୂର୍ଯ୍ୟ ଦିଗ୍‌ବଳୟର ଗୋଟିଏ କୋଣରୁ ଉଠିଆସିଛି, ଆସ୍ତେ ଆସ୍ତେ ମୁଣ୍ଡ ଉପରକୁ ଉଠୁଛି ଏବଂ ପୁଣି ତଳକୁ ଓହ୍ଲାଇ ଦିଗ୍‌ବଳୟର ଆଉ ଗୋଟିଏ କୋଣରେ ବୁଡ଼ି ଯାଉଛି । ମନୁଷ୍ୟ ଲକ୍ଷ୍ୟ କଲା ଯେ ସୂର୍ଯ୍ୟ ଉଦୟ ହେଲାବେଳେ ପାହାଡ଼ ଓ ଗଛର ଛାଇସବୁ ବଡ଼ ବଡ଼ ହୋଇ ଦିଶୁଛି, ସୂର୍ଯ୍ୟ ଯେତିକି ଉପରକୁ ଉଠୁଛି ଛାଇ ସେତିକି ସେତିକି ଛୋଟ ହୋଇଯାଉଛି ଏବଂ ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠିଲାବେଳେ ନିଜର ଛାଇ ତଥା ପାହାଡ଼ ଓ ଗଛର ଛାଇ ସବୁଠୁ ଛୋଟ ହୋଇଯାଉଛି, ପୁଣି ସୂର୍ଯ୍ୟ ତଳକୁ ତଳକୁ ଗଲାକ୍ଷଣି ଛାଇ ବଡ଼ ହୋଇଯାଉଛି ଏବଂ ଅସ୍ତ ବେଳକୁ ଛାଇ ସବୁଠୁ ବଡ଼ ଦିଶୁଛି । ତେଣୁ ସୂର୍ଯ୍ୟର ଛାଇକୁ କଣ୍ଟି ସେ କେତେବେଳେ ବଣକୁ ଶିକାର କରିବାକୁ ଏବଂ ଫଳମୂଳ ସଂଗ୍ରହ କରିବାକୁ ଯିବ ଏବଂ କେତେବେଳେ ମନୁଷ୍ୟ ଗୋଷ୍ଠୀ ଏକାଠି ବସି ଦେବତାଙ୍କୁ ପ୍ରାର୍ଥନା କରିବେ ତାହା ନିର୍ଦ୍ଧାରଣ କରୁଥିଲେ । ଖଣ୍ଡିଏ ଖଣ୍ଡିଏ କାଠ ବା ଗଛଡାଳ ଖରାପଡ଼ୁଥ‌ିବା ସ୍ଥାନରେ ପୋତିଦେଇ ତା’ର ଛାଇ ଏତିକି ବଡ଼ ହେଲାବେଳେ ସେ ଘରକୁ ଫେରିବ ଏବଂ ଏତିକି ବଡ଼ ହେଲାବେଳେ ପ୍ରାର୍ଥନା ହେବ ବୋଲି ସମୟ ନିର୍ଦ୍ଦିଷ୍ଟ କରିଦେଉଥିଲେ ।

 

ମନୁଷ୍ୟ ଗୋଷ୍ଠୀ ବହୁ କାଳପରେ ଗୁମ୍ଫାରୁ ବାହାରି ନଦୀକୂଳମାନଙ୍କରେ ଯାଇ ବସତି ସ୍ଥାପନ କଲେ ଏବଂ ନଦୀଜଳ ବ୍ୟବହାର କରି ଚାଷ କଲେ । ଏହା ପ୍ରାୟ ହଜାର ବର୍ଷର ତଳର କଥା । ଏହିପରି ମିଶରୀୟମାନେ ନାଇଲ ନଦୀକୂଳରେ, ବେବିଲୋନୀୟମାନେ ଟାଇଗ୍ରୀସ ଓ ୟୁଫ୍ରେଟିସ୍‌ ନଦୀକୂଳରେ ବସତି ସ୍ଥାପନ କରି କୃଷିକାର୍ଯ୍ୟ ଆରମ୍ଭ କଲେ । କୃଷିକାର୍ଯ୍ୟ ପାଇଁ ସମୟକୁ ଭାଗ ଭାଗ କରିବାକୁ ଦରକାର ହେଲା ଓ ନିର୍ଦ୍ଦିଷ୍ଟ ସମୟ ଜାଣିବା ଦରକାର ହେଲା । ତେଣୁ ସମୟକୁ ବର୍ଷ, ମାସ, ଦିନ ଓ ଋତୁରେ ଭାଗ ଭାଗ କରିବା ଉଦ୍ୟମ ହେଲା । ନିର୍ଦ୍ଦିଷ୍ଟ ସମୟ ମଧ୍ୟ ଜାଣିବାପାଇଁ ସେମାନେ ଉପାୟ ଉଦ୍ଭାବନ କଲେ । ସୂର୍ଯ୍ୟର ବିଭିନ୍ନ ସମୟର ଛାଇକୁ ମାପି ନିର୍ଦ୍ଦିଷ୍ଟ ସମୟ ଜାଣିବାପାଇଁ ସର୍ବପ୍ରଥମେ ମିଶରୀୟମାନେ ଛାୟାଘଡ଼ି ନିର୍ମାଣ କରିଥିଲେ । ଏହା ଥିଲା ଏକ ସରଳ ଯନ୍ତ୍ର । ଖଣ୍ଡିଏ କାଠକୁ ଭାଗ କରି ଦାଗ ଦେଇ ସେ କାଠ ଖଣ୍ଡକର ମଝିରେ ଆଉ ଖଣ୍ଡିଏ ଓସାର ବାଗିଆ କାଠ ସେଥିରେ ଲଗାଇ ଦିଆ ହେଉଥିଲା । ସୂର୍ଯ୍ୟର ଗତି ଅନୁସାରେ ସହି କାଠର ଛାଇ ଘୁଞ୍ଚି ଘୁଞ୍ଚି ଯାଉଥାଏ ଏବଂ ସେଇଥୁରୁ ସମୟର ସୂଚନା ମିଳେ । ମାତ୍ର ଦିନବେଳେ ସୂର୍ଯ୍ୟର ଆଲୋକ ଥିବାରୁ ଦିନ ସମୟରେ ହିଁ ଏହା କାର୍ଯ୍ୟ କରିଥାଏ । ସୂର୍ଯ୍ୟ ଅସ୍ତ ହୋଇଗଲେ ଏହା କୌଣସି କାମରେ ଆସେ ନାହିଁ ।

Image

(ଛାୟାଘଡ଼ି)

 

ମନୁଷ୍ୟ ସଭ୍ୟତା କ୍ରମଶଃ ଆଗେଇ ଚାଲିଲା । ତେଣୁ ମନୁଷ୍ୟ ଏଇ ଛାୟା ଘଡ଼ିରେ ସନ୍ତୁଷ୍ଟ ହୋଇ ରହିପାରିଲା ନାହିଁ । ଏହାଠାରୁ ଆହୁରି ଉନ୍ନତ ଘଡ଼ି ଯେଉଁଥିରେ ସହଜରେ ଓ ସ୍ଥାୟୀ ଭାବରେ ସମୟ ଯେପରି ଜାଣିହେବ ସେଥ‌ିପାଇଁ ସଭ୍ୟ ଦେଶମାନଙ୍କରେ ପରୀକ୍ଷା ଚାଲିଲା । ଛାୟାଘଡ଼ିର ଉନ୍ନତ ରୂପରେ ବାହାରିଲା–ସୂର୍ଯ୍ୟଘଡ଼ି । ପ୍ରାୟ ୬ ହଜାରରୁ ଅଧିକ ବର୍ଷତଳେ ବେବିଲୋନୀୟମାନେ ପ୍ରଥମ ସୂର୍ଯ୍ୟଘଡ଼ି ନିର୍ମାଣ କରିଥିବା ଜଣାଯାଇଛି । ସୂର୍ଯ୍ୟଘଡ଼ି ବସ୍ତୁତଃ ଆଧୁନିକ ଘଡ଼ିର ଉପରିଭାଗ ପରି । ଏହାର ମଧ୍ୟଭାଗରେ ଗୋଟିଏ କଣ୍ଟା ସିଧାଭାଗରେ ରଖାଯାଇଥାଏ । ଏହା ଏକ ସମତଳ ଧାତୁନିର୍ମିତ ପଦାର୍ଥ । ସିଧା ଦାଗରେ ରହିଥିବା ଏହି କଣ୍ଟାର ଛାଇ ଆସି ସେହି ସମତଳ ଜିନିଷଟି ଉପରେ ପଡ଼େ । ଏଥ‌ିରେ ନିର୍ଦ୍ଦିଷ୍ଟ ଦୂରତ୍ଵରେ ଛିଦ୍ର ଥାଏ । ଛାଇ ଘୁଞ୍ଚିଯିବା ଆରମ୍ଭ ହେଲେ ତାକୁ ଦେଖି ସମୟ ମାପ କରିଦିଆଯାଇଥାଏ । ସୂର୍ଯ୍ୟଘଡ଼ିର ଏହି କଣ୍ଟାଟି ସ୍ଥାନଟିର ଅକ୍ଷାଂଶ ସହିତ କୋଣ ତିଆରି କରି ଠିକ୍‌ ଉତ୍ତର ବା ଦକ୍ଷିଣ ମେରୁ ଦିଗରେ ନିର୍ଦ୍ଦେଶ କରିଥାଏ । ଏହିଭଳି ସୂର୍ଯ୍ୟଘଡ଼ି ବହୁ ଦେଶରେ ନିର୍ମିତ ହୋଇ ବହୁକାଳ ପର୍ଯ୍ୟନ୍ତ ପ୍ରଚଳିତ ହୋଇଥିଲା । ଭାରତବର୍ଷର ରାଜସ୍ଥାନରେ ଏହିପରି ଏକ ବିରାଟ ସୂର୍ଯ୍ୟଘଡ଼ି ରହିଛି । ଏହାର ଡାଏଲର ବ୍ୟାସ ୧୦୦ଫୁଟ ଓ ଏହାର କଣ୍ଟାର ଲମ୍ବ ୧୮୭ ଫୁଟ । ଏହି ବିରାଟ ସୂର୍ଯ୍ୟଘଡ଼ି ସହିତ ସେତେବେଳେ ପକେଟରେ ରଖିବା ଭଳି ଛୋଟ ସୂର୍ଯ୍ୟଘଡ଼ି ମଧ୍ୟ ନିର୍ମିତ ହୋଇଥିଲା । ଇଂଲଣ୍ଡରେ ଶାକସନ ବଂଶର ରାଜତ୍ଵ କାଳରେ ଏହିଭଳି ବହୁତ ଘଡ଼ି ତିଆରି ହୋଇଥିଲା । ଏଥିରୁ କେତୋଟି ଇଂଲଣ୍ଡର ମ୍ୟୁଜିୟମରେ ରଖାଯାଇଛି ।

Image

(ସୂର୍ଯ୍ୟଘଡ଼ି)

 

 

ଜଳଘଡ଼ି

 

ସୂର୍ଯ୍ୟଘଡ଼ି ସମ୍ବନ୍ଧରେ ଚାରିଆଡ଼େ ଆଲୋଚନା ଚାଲିଥିଲା ବେଳେ କେତେକ ଦେଶରେ ନିର୍ଦ୍ଦିଷ୍ଟ ସମୟ ଜାଣିବା ପାଇଁ ନୂତନ ପ୍ରକାର ଘଡ଼ି ତିଆରିପାଇଁ ଉଦ୍ୟମ ଚାଲିଥିଲା । ଗ୍ରୀସ୍‌ ଓ ରୋମର ଜଳଘଡ଼ି ନିର୍ମାଣ କାର୍ଯ୍ୟ ଚାଲିଥିଲା । ଜଳଘଡ଼ିକୁ ଗ୍ରୀକ୍‌ଭାଷାରେ କ୍ଳେସ ପିଡ୍ରା ବୋଲି କୁହାଯାଏ । ଏହାର ଅର୍ଥ ହେଲା–ଜଳଚୋ । ଏହା ବାସ୍ତବିକ୍‌ ଜଳଚୋରୀ ଭଳି କଥା । ଗୋଟିଏ ବିରାଟ ପାତ୍ରରେ ପାଣି ଭର୍ତ୍ତିକରି ରଖାଯାଏ । ଏହି ପାତ୍ରଟି ଭିତରେ ନିର୍ଦ୍ଦିଷ୍ଟ ସମୟ ମାପରେ ଦାଗ ଦିଆଯାଇଥାଏ । ଏହି ପାତ୍ରର ତଳଭାଗରେ ଗୋଟିଏ କଣା କରାଯାଇଥାଏ । ଏହି କଣା ବାଟେ ପାଣି ବାହାରି ଯାଉଥ‌ିବା ବେଳେ ଗୋଟିଏ ଦାଗରୁ ଅନ୍ୟ ଦାଗପର୍ଯ୍ୟନ୍ତ ପାଣି ଯିବାକୁ କେତେ ସମୟ ଲାଗେ ତାହା ସହଜରେ ଜଣାପଡ଼ିଯାଏ । ଏଥିରେ ପାଣି ଗଡ଼ି ପଡ଼ିବା ଆରମ୍ଭ ହେବାପରେ କେତେ ସମୟ ହୋଇଛି ତାହା ଏଥିରୁ ଜଣାପଡ଼ିଯାଏ । ଏହାପରେ ବହୁ ପ୍ରକାର ଉନ୍ନତ ଜଳଘଡ଼ି ତିଆରି ହେଲା ।

 

ବତିଘଡ଼ି

 

ସୂର୍ଯ୍ୟଘଡ଼ି ଓ ଜଳଘଡ଼ି ସହିତ ସମୟ ଜାଣିବା ପାଇଁ ଆଉ ଏକ ପ୍ରକାର ଘଡ଼ି କେତେକ ଦେଶରେ ବ୍ୟବହାର କରାଯାଇଥିଲା ତା’ର ନାମ ଦିଆଯାଇଥିଲା ବତିଘଡ଼ି । ଇଂଲଣ୍ଡ ଦେଶରେ ଏହି ଘଡ଼ି ଲୋକପ୍ରିୟ ହୋଇଥିଲା । ନବମ ଶତାବ୍ଦୀରେ ଇଂଲଣ୍ଡର ରାଜା ଆଲଫ୍ରେଡ଼ ଏହି ବତିଘଡ଼ି ପ୍ରବର୍ତ୍ତନ କରିଥିଲେ । ଏହି ସମୟରେ ଯେଉଁ ମହମବତୀରେ ପ୍ରଥମେ ଏହି ଘଡ଼ି ତିଆରି ହେଉଥିଲା ତାହା ଥିଲା ବାରଇଞ୍ଚ ଲମ୍ବ । ଏହାର ପ୍ରତ୍ୟେକ ଇଞ୍ଚରେ ଗୋଟିଏ ଗୋଟିଏ ଦାଗ ଦିଆଯାଇଥାଏ । ଏହି ବତିର ତିନୋଟି ଦାଗ ଜଳିବାକୁ ଘଣ୍ଟାଏ ପର୍ଯ୍ୟନ୍ତ ସମୟ ଲାଗେ ତେଣୁ ଏହି ବତିର ତିନୋଟି ଦାଗ ପୂରା ଜଳିଯିବାପାଇଁ ଚାରିଘଣ୍ଟା ସମୟ ଲାଗୁଥିଲା । ଗୋଟିଏ ବତି ଶେଷ ହେଲେ ରାଜା ଆଉ ଗୋଟିଏ ବତି ଜଳେଇ ଦେଉଥିଲେ । ଏହିପରି ନିଆଁ ଉପରେ ନିର୍ଭର କରି ସମୟ ଜାଣିବା ଚେଷ୍ଟା ଆଗରୁ ବହୁ ଦେଶରେ ପ୍ରଚଳିତ ଥିଲା । ଭାରତବର୍ଷରେ କେତେକ ସ୍ଥାନରେ ରାତିରେ ବତି ଜଳାଇ ପ୍ରହର ଗଣା ହେଉଥିଲା ।

Image

(ବତିଘଡ଼ି)

 

ବାଲିଘଡ଼ି

 

Image

(ବାଲିଘଡ଼ି)

 

ଜାହାଜ ଚଳେଇଲା ବେଳେ ଛାୟାଘଡ଼ି, ସୂର୍ଯ୍ୟଘଡ଼ି ବା ଜଳଘଡ଼ି ଆଉ ବିଶେଷ କାମ ଦେଲା ନାହିଁ । ଜାହାଜ ଚାଲିଲାବେଳେ ଏହିଭଳି ଘଡ଼ିରେ ନିର୍ଦ୍ଦିଷ୍ଟ ସମୟ ଜାଣିବା ପାଇଁ ଏକ ଉନ୍ନତ ଧରଣର ଘଡ଼ିର ପରିକଳ୍ପନା କରାଯାଇଥିଲା । ଏହି ପ୍ରକାର ଘଡ଼ିକୁ କୁହାଗଲା ଘଣ୍ଟା କାଚ ବା ବାଲିଘଡ଼ି । ଭାରତବର୍ଷରେ ଏହାକୁ କୁହାଯାଇଥିଲା ଘଣ୍ଟାକା ଯନ୍ତ୍ର । ଦୁଇଟି କାଚରେ ଚିମନି ବା ବାଲ୍‌ଟିର ମୁହଁକୁ ଯୋଡ଼ି ଦିଆଯାଏ । ଏହାର ତଳପାଖ ମୁହଁକୁ ଯୋଡ଼ି ଦିଆଯାଏ । ଏହାର ତଳପାଖ ମୁହଁ ଗୋଜିଆ ହୋଇଥାଏ । ଏହି ଦୁଇଟି ଗୋଜିଆ ମୁହଁକୁ ଏକାଠି ଯୋଡ଼ି ଏହା ମଝିରେ ଗୋଟିଏ କଣା କରି ଦିଆଯାଇଥାଏ । ଉପରେ ଥ‌ିବା କାଚରେ ସରୁ ସଫାବାଲି ଭର୍ତ୍ତିକରି ରଖାଯାଏ ଏବଂ ତାହା ସେହି କଣାବାଟେ ତଳ କାଚରେ ଯାଇ ପଡ଼େ । ତଳ କାଚଟି ସେହି ବାଲିରେ ଭର୍ତ୍ତି ହେବାକୁ ଘଣ୍ଟାଏ ଲାଗେ । ଉପର କାଚରେ ଯେତେ ବାଲି ଥାଉ ପଛେ ତାହା ନିର୍ଦ୍ଦିଷ୍ଟ ଗତିରେ କଣାବାଟେ ତଳ କାଚରେ ଯାଇ ଭର୍ତ୍ତି ହୁଏ । ଜାହାଜରେ ନିର୍ଦ୍ଦିଷ୍ଟ ସମୟ ଜାଣିବା ପାଇଁ ଏହି ପଦ୍ଧତି ବିଶେଷ ସଫଳତାର ସହିତ କାର୍ଯ୍ୟ କରିଥିଲା । ବିଶେଷଭାବରେ ଜାହାଜର ନାବିକମାନଙ୍କୁ ଏହା ସାହାଯ୍ୟ କରିଥିଲା । ଏହି ବାଲିଘଡ଼ିରେ ଘଣ୍ଟାଏ ଛଡ଼ା ୧୫ମିନିଟ୍‌ ୩୦ ମିନିଟ୍‌ ଓ ୪୫ ମିନିଟ୍‌ ସମୟ ମଧ୍ୟ ଜାଣିବା ସମ୍ଭବ ହେଲା । ଚତୁର୍ଦ୍ଦଶ ଶତାବ୍ଦୀରେ ଏହିଭଳି ଘଡ଼ି ପ୍ରଥମେ ପ୍ରଚଳିତ ହୋଇଥିଲା ପରି ଜଣାଯାଇଛି । ଖ୍ରୀଷ୍ଟପର କଲମ୍ବସ ଯେତେବେଳେ ଭାରତ ଆବିଷ୍କାର କରିବା ନିମନ୍ତେ ସେଣ୍ଟ ମେରିଆ ଜାହାଜରେ ଯାତ୍ରା କଲେ ସେତେବେଳେ ତାଙ୍କ ପାଖରେ ଏହିପରି ଗୋଟିଏ ଅଧଘଣ୍ଟିଆ ଜଳଘଡ଼ି ଥିଲା ।

 

ବର୍ଷ, ମାସ, ଦିନ, ଘଣ୍ଟା, ମିନିଟ୍‌ ଓ ସେକେଣ୍ଡ କେମିତି ନିର୍ଦ୍ଧାରିତ ହେଲା ?

 

ସମୟକୁ ମାପିବାପାଇଁ ତଥା ନିର୍ଦ୍ଦିଷ୍ଟ ସମୟ ଜାଣିବାପାଇଁ ମନୁଷ୍ୟ ସଭ୍ୟତାର ଆଦିମ ଯୁଗରେ ସୂର୍ଯ୍ୟ ଓ ଚନ୍ଦ୍ରର ଗତିବିଧ‌ିକୁ ଲକ୍ଷ୍ୟ କରିଥିଲା । ସେତେବେଳେ ସୂର୍ଯ୍ୟ ଚାରିପଟେ ପୃଥ‌ିବୀ ବୁଲୁଛି ବୋଲି ଜଣା ନ ଥିଲା । ପୃଥ‌ିବୀ ସ୍ଥିର ଅଛି ଏବଂ ପୃଥ‌ିବୀ ଚାରିପଟେ ସୂର୍ଯ୍ୟ ଓ ଅନ୍ୟାନ୍ୟ ଗ୍ରହ ନକ୍ଷତ୍ରମାନେ ବୁଲୁଛନ୍ତି ବୋଲି ବିଶ୍ଵାସ ଥିଲା । ସେତେବେଳର ଜ୍ୟୋତିର୍ବିଦମାନେ ପର୍ଯ୍ୟବେକ୍ଷଣ କରି ଜାଣିଥିଲେ ଯେ ମହାକାଶରେ ୧୨ଟି ଗ୍ରହ ରହିଛନ୍ତି ଏବଂ ସୂର୍ଯ୍ୟ ପ୍ରତି ମାସରେ ଗୋଟିଏ ଗୋଟିଏ ଗ୍ରହରେ ରହି ତା’ପରେ ଅନ୍ୟ ଗ୍ରହକୁ ଯାଏ । ପରେ ଜଣାଗଲା ଯେ ସୂର୍ଯ୍ୟ ପ୍ରକୃତରେ ସ୍ଥିର ଅଛି ଏବଂ ପୃଥ‌ିବୀ ସୂର୍ଯ୍ୟ ଚାରିପଟେ ବୁଲୁଛି ଏବଂ ଥରେ ବୁଲିଆସିବାକୁ ୩୬୫ ଦିନ ୬ଘଣ୍ଟା ଲାଗୁଛି । ତେଣୁ ବର୍ଷକ ୩୬୫ ଦିନ ୬ଘଣ୍ଟା ବୋଲି ଜଣାପଡ଼ିଥିଲା । ମାତ୍ର ତା’ ପୂର୍ବରୁ ଚନ୍ଦ୍ରର ଗତିକୁ ଲକ୍ଷ୍ୟ କରି ଗୋଟିଏ ଅମାବାସ୍ୟାରୁ ଆର ଅମାବାସ୍ୟା ପର୍ଯ୍ୟନ୍ତ ସାଢ଼େ ୨୯ଦିନ ୩୦ ଦିନ ଲାଗେ । ତେଣୁ ଏହି ହିସାବରେ ବର୍ଷକ ୩୬୦ ଦିନ ବୋଲି ହିସାବ କରାଯାଇଥିଲା । ଇଂରେଜୀ ମୁନ ଶବ୍ଦରୁ ମନ୍ଥ ବା ମାସ ଶବ୍ଦ ଆସିଛି । ଏଇଥିପାଇଁ ମାସକ ୩୦ ଦିନ ବୋଲି ଧରାଯାଇଥିଲା । ପରେ ସୌରମାନ ମାସ ଗଣନାରେ ଯେଉଁ ଅଧିକା ୫ ଦିନ ବର୍ଷକରେ ବଢ଼ିଲା ତାକୁ ପରେ ବିଭିନ୍ନ ମାସରେ ଯୋଡ଼ି ଦିଆଯାଇଥିଲା । ସପ୍ତାହକ କାହିଁକି ସାତ ଦିନ ହେଲା ତାହା ନିର୍ଦ୍ଦିଷ୍ଟ ଭାବରେ ଜଣା ନାହିଁ ମାତ୍ର ଚନ୍ଦ୍ର ଓ ସୂର୍ଯ୍ୟ ଏବଂ ସେତେବେଳେ ଖାଲି ଆଖିରେ ଦେଖାଯାଉଥ‌ିବା ୫ଟି ଗ୍ରହଙ୍କ ନାମ ଅନୁସାରେ ସପ୍ତାହର ସାତ ଦିନର ନାମ ଦିଆଯାଇଛି-। ସେହି ୧୨ଟି ରାଶିର ନାମ ଅନୁସାରେ ସୌରମାସ ଓ ୧୨ଟି ନକ୍ଷତ୍ର ଅନୁସାରେ ଚନ୍ଦ୍ର ମାସର ନାମକରଣ ହୋଇଛି, ସୂର୍ଯ୍ୟ ଉଦୟ ଠାରୁ ଆଉ ଥରେ ସୂର୍ଯ୍ୟ ଉଦୟ ହେବାକୁ ୨୪ ଘଣ୍ଟା ଲାଗେ-। ତେଣୁ ଦିନକ ୨୪ ଘଣ୍ଟା ହେଲା ମାତ୍ର, ଘଣ୍ଟାକ ୬୦ମିନିଟ୍‌ ଓ ମିନିଟ୍‌କ ୬୦ ସେକେଣ୍ଡ କାହିଁକି ହେଲା ଜଣା ନାହିଁ । ମାତ୍ର ଏଠାରେ ଉଲ୍ଲେଖ କରାଯାଇପାରେ ଯେ ୬୦ ଅଙ୍କଟି ବୈଜ୍ଞାନିକ ଓ ଜ୍ୟୋତିର୍ବିଦଙ୍କ ପାଇଁ ବହୁ କ୍ଷେତ୍ରରେ ଗୁରୁତ୍ଵପୂର୍ଣ ବୋଲି ବିବେଚିତ ହୁଏ । କାରଣ ୬୦ ଅଙ୍କ ଦ୍ୱାରା ଯେତେ ଅଧ‌ିକ ସଂଖ୍ୟା ବିଭାଜିତ ହୋଇପାରିବ, ଅନ୍ୟ କୌଣସି ଅଙ୍କ ଦ୍ଵାରା ତାହା ହୋଇପାରିବ ନାହିଁ ତେଣୁ ୬୦ ସଂଖ୍ୟା ବ୍ୟବହାର କରାଯାଇଥିବା ସମ୍ଭବ ।

Image

 

ପୃଥ‌ିବୀର ପ୍ରଥମ ପାଞ୍ଜି କେମିତି ହେଲା ?

 

ମନୁଷ୍ୟ ସମୟକୁ ବର୍ଷ, ମାସ, ଦିନ ଓ ଋତୁରେ ଭାଗ ଭାଗ କରିଦେବାପାଇଁ ସମର୍ଥ ହେବାପରେ ପ୍ରଥମ ପାଞ୍ଜି ତିଆରି ହୋଇଥିଲା । ସେ ପ୍ରାୟ ଆଜିକି ଛ’ହଜାର ବର୍ଷ ତଳର କଥା । ସେତେବେଳକୁ ମନୁଷ୍ୟ ପର୍ବତ ଗୁମ୍ଫା ଛାଡ଼ି ଦଳ ଦଳ ହୋଇ ଯାଇ ନଦୀକୂଳମାନଙ୍କରେ ବସବାସ କଲେଣି । ଚାଷ କରିବାପାଇଁ ପାଣି ପାଇବା ସୁବିଧା ହେବ ବୋଲି ମନୁଷ୍ୟ ଗୋଷ୍ଠୀ ବାନ୍ଧି ନଦୀ କୂଳରେ ବାସ କଲେ । ଏହିପରି ଦଳେ ମନୁଷ୍ୟ ଗୋଷ୍ଠୀ ପ୍ରାୟ ଛ’ ହଜାର ବର୍ଷତଳେ ନାଇଲ ନଦୀ କୂଳରେ ବାସ କରିଥିଲେ । ସେମାନେ ହେଲେ ମିଶରୀୟ । ସେହିପରି ଆଉ ଦଳେ ଟାଇଗ୍ରୀସ୍‌ ଓ ଇଉପ୍ରେଟିସ୍‌ ନଦୀ କୂଳରେ ବାସ କରିଥିଲେ ସେମାନେ ହେଲେ ବେବିଲୋନୀୟ ବର୍ତ୍ତମାନର ଇରାକ ଦେଶ । ସେହି ସମୟରେ ପ୍ରାଚୀନ ଭାରତର ଅଧିବାସୀ ସିନ୍ଧୁନଦୀ ଉପତ୍ୟକାରେ ବସବାସ କରି ଚାଷ କରୁଥିଲେ ।

 

ଚାଷ କରିବା ପାଇଁ ବର୍ଷ ଭିତରେ କେବେ ବର୍ଷା ଋତୁ ହେବ, କେବେ ଗ୍ରୀଷ୍ମ ଋତୁ ଏବଂ କେବେ ଶୀତ ଋତୁ ହେବ ତାହା ଜାଣିବା ଦରକାର ହେଲା । ସୂର୍ଯ୍ୟ ଓ ଚନ୍ଦ୍ରର ଗତିବିଧି ପର୍ଯ୍ୟବେକ୍ଷଣ କରି କରି ମନୁଷ୍ୟ ପ୍ରଥମେ ବର୍ଷ, ମାସ ଓ ଦିନ ନିର୍ଦ୍ଧାରଣ କରିବା ପାଇଁ ସମର୍ଥ ହୋଇଥିଲା । ସେତେବେଳେ ଧାରଣା ଥିଲା ଯେ ପୃଥ‌ିବୀ ସ୍ଥିର ରହିଛି ଏବଂ ପୃଥ‌ିବୀ ଚାରିପଟେ ସୂର୍ଯ୍ୟ ଓ ଅନ୍ୟ ଗ୍ରହମାନେ ବୁଲୁଛନ୍ତି । ସେତେବେଳର ବୁଦ୍ଧିମାନ ଲୋକେ ଆକାଶକୁ ପର୍ଯ୍ୟବେକ୍ଷଣ କରି କରି ସମଗ୍ର ମହାକାଶକୁ ୩୬୦ ଡିଗ୍ରୀ ବୋଲି ଧରି ଏହାକୁ ୧୨ ଭାଗରେ ବିଭକ୍ତ କରିଥିଲେ ଏବଂ ପ୍ରତ୍ୟେକ ଭାଗରେ ଗୋଟିଏ ଗୋଟିଏ ରାଶିର ଅବସ୍ଥିତି ନିର୍ଦ୍ଧାରଣ କରିଥିଲେ ଏବଂ ସୂର୍ଯ୍ୟ ପ୍ରତ୍ୟେକ ରାଶିରେ ଏକମାସ ପର୍ଯ୍ୟନ୍ତ ରହି ଅନ୍ୟ ଗ୍ରହକୁ ଯାଇଥାଏ ବୋଲି ନିର୍ଦ୍ଧାରଣ କରାଯାଇଥିଲା । ବାରମାସ ଭିତରେ ସୂର୍ଯ୍ୟ ସମସ୍ତ ୧୨ଟି ରାଶି ପ୍ରଦକ୍ଷିଣ କରିଥାଏ । ସମୟ ରାଶିକୁ ଏକାଠି ରାଶିଚକ୍ର ବୋଲି କୁହାଯାଇଛି । ଏହା ପୂର୍ବରୁ ଚନ୍ଦ୍ରର କ୍ଷୟ ଓ ବୃଦ୍ଧିକୁ ହିସାବ କରି ମାସ ଓ ବର୍ଷ ଗଣନା କରାଯାଇଥିଲା । ପ୍ରତି ଅମବାସ୍ୟା ଦିନ ଚନ୍ଦ୍ର ପ୍ରାୟ ଦେଖାଯାଏ ନାହିଁ ଏବଂ ତାପରଠାରୁ ଚନ୍ଦ୍ରର ଆକାର କ୍ରମଶଃ ବୃଦ୍ଧି ପାଇ ପୂର୍ଣ୍ଣମୀ ଦିନ ଚନ୍ଦ୍ର ପୂର୍ଣ୍ଣ ଆକାରରେ ଦେଖାଯାଏ ଏବଂ ତା’ପର ଦିନଠାରୁ କ୍ରମଶଃ କ୍ଷୟ ହୋଇ ଅମାବାସ୍ୟାରେ କ୍ଷୀଣତମ ହୁଏ । ଏହିପରି ଗୋଟିଏ ଅମାବାସ୍ୟାରୁ ଅନ୍ୟ ଅମାବାସ୍ୟା ପର୍ଯ୍ୟନ୍ତ ସାଢ଼େ ୨୯ ଦିନ ବା ୩୦ ଦିନ ବୋଲି ପ୍ରାଚୀନ ମିଶରୀୟ ଓ ବେବିଲୋନୀୟମାନେ ଧରିଥିଲେ ।

Image

(ବେବିଲୋନୀୟମାନଙ୍କ ପାଞ୍ଜିତିଆରି)

 

ମାତ୍ର ନାଇଲ ନଦୀରେ କେବେ ବନ୍ୟା ଆସିବ ତାହା ମିଶରୀୟମାନେ ଜାଣିବାକୁ ଚାହିଁଥିଲେ । ମିଶର ଏକ ମରୁଭୂମି । ଏ ଦେଶର ଚାଷୋପଯୋଗୀ ଜମି ସମ୍ପୂର୍ଣ୍ଣରୂପେ ନୀଳ ନଦୀର ଜଳ ଉପରେ ନିର୍ଭର କରେ । ତେଣୁ ନିର୍ଦ୍ଦିଷ୍ଟଭାବରେ କେବେ ବର୍ଷା ହେବ ଏବଂ ନାଇଲ ନଦୀରେ ପାଣି ଆସିବ ତାହା ଜାଣିବା ମିଶରୀୟଙ୍କ ପକ୍ଷରେ ଅପରିହାର୍ଯ୍ୟ ହୋଇପଡ଼ିଥିଲା । ଏଥିପାଇଁ ମିଶରୀୟ ଜ୍ୟୋତିର୍ବିଦମାନେ ଗ୍ରହ ଓ ନକ୍ଷତ୍ରମାନଙ୍କର ଗତିବିଧ‌ିକୁ ବହୁକାଳ ପର୍ଯ୍ୟବେକ୍ଷଣ କଲାପରେ ଲକ୍ଷ୍ୟ କଲେ ଯେ ମିଶର ଆକାଶରେ ଗୋଟିଏ ନକ୍ଷତ୍ର ଦେଖାଯାଉଛି ଏବଂ ସେହି ନକ୍ଷତ୍ର ଦେଖାଦେବା ପରେ ବର୍ଷା ହେଉଛି । ଏହି ନକ୍ଷତ୍ରଟିକୁ ସେମାନେ ‘ସିରୟସ’ ବୋଲି ନାମ ଦେଇଥିଲେ । ଭାରତୀୟମାନେ ଏହି ନକ୍ଷତ୍ରଟିର ନାମ ଦେଇଛନ୍ତି–ଲୁବ୍‌ଧକ । ନକ୍ଷତ୍ରଟି ଜୁଲାଇ ମାସ ଭିତରେ ଠିକ୍‌ ସୂର୍ଯ୍ୟୋଦୟ ପୂର୍ବରୁ ମିଶର ଆକାଶରେ ସ୍ପଷ୍ଟଭାବରେ ଦେଖାଦେଇଥାଏ । ଏହି ନକ୍ଷତ୍ରଟି ଆକାଶରେ ଦେଖାଦେବାମାତ୍ରେ ମିଶରୀୟମାନେ ନିଜର ଚାଷ କାମ ଆରମ୍ଭ କରିଦିଅନ୍ତି । ସେହିଦିନଠାରୁ ସେମାନେ ବର୍ଷାରମ୍ଭ ବୋଲି ଧରି ଦିନ ଗଣନା ଆରମ୍ଭ କରିଥିଲେ । ସେମାନେ ବର୍ଷକ ବାରମାସ ଓ ମାସକ ୩୦ଦିନ ବୋଲି ଧରି ପାଞ୍ଜି ତିଆରି କରିଥିଲେ । ଏହିପରି ସେମାନେ ପୃଥ‌ିବୀର ପ୍ରଥମ ପାଞ୍ଜି ତିଆରି କଲେ । ସେହି ସମୟରେ ବେବିଲୋନୀୟମାନେ ମଧ୍ୟ ବର୍ଷ, ମାସ, ଓ ଦିନ ଗଣନା କରିବାରେ ସଫଳ ହୋଇଥିଲେ ।

 

ଦୋମାସି କେମିତି ଜଣାପଡ଼ିଲା ?

 

ଆଗରୁ କୁହାଯାଇଛି ଯେ ବେବିଲୋନୀୟ ଓ ମିଶରୀୟମାନେ ଚନ୍ଦ୍ରର କ୍ଷୟ ଓ ବୃଦ୍ଧିକୁ ହିସାବ କରି ମାସକ ୩୦ଦିନ ଓ ବର୍ଷକ ବାର ମାସ ବୋଲି ଧରିଥିଲେ । ପରେ ସୂର୍ଯ୍ୟର ଗତିବିଧି ଅନୁସାରେ ଯେତେବେଳେ ବର୍ଷକର ସମୟ ୩୬୫ ଦିନ ବୋଲି ଜଣାପଡ଼ିଲା, ମିଶରୀୟମାନେ ପ୍ରଥମେ ତାହା ଗ୍ରହଣ କରିନଥିଲେ, ପରେ ଗ୍ରହଣ କଲେ । ବର୍ଷକ ୩୬୦ ଦିନ ହିସାବ କରିବା ଫଳରେ ସୌରବର୍ଷର ୫ଦିନ ସେମାନେ ଛାଡ଼ି ଦେଇ ଯାଉଥିଲେ । ତେଣୁ ସେମାନେ ୬ ବର୍ଷ ଶେଷରେ ୩୦ ଦିନ ବା ମାସେ ଛାଡ଼ି ଦେଉଥିଲେ । ଏହା ଫଳରେ ସେମାନେ ଲକ୍ଷ୍ୟକଲେ ଯେ ବର୍ଷେ ବର୍ଷେ ସେମାନଙ୍କ ଗଣନା ଅନୁସାରେ ଯେତେବେଳେ ‘ସିରିୟସ’ ନକ୍ଷତ୍ର ଦେଖାଦେଲେ ମିଶରରେ ବର୍ଷା ହେବା କଥା ତା’ ନ ହୋଇ ମାସକ ପରେ ଯାଇ ବର୍ଷା ହେଲା । ତେଣୁ ସେମାନେ ଏହାର କାରଣ ଜାଣିଲା ପରେ ଏହି ଅଧିକା ମାସକୁ ବର୍ଷକ ୧୨ ମାସ ସହିତ ମିଶାଇ ସେ ବର୍ଷଟି ୧୩ ମାସ ବୋଲି ହିସାବ କଲେ । ମାତ୍ର ଏହି ଅଧିକା ମାସକୁ ଅଶୁଭ ମାସ ବୋଲି କୁହାଗଲା ଏବଂ ଏହି ମାସରେ କୌଣସି ଶୁଭକାମ କଲେ ନାହିଁ । ଭାରତବର୍ଷରେ ୬ ବର୍ଷରେ ଯେଉଁ ଅଧିକା ମାସଟି ହୁଏ ତାକୁ ମଳମାସ ବୋଲି କୁହାଯାଏ ଏବଂ ଏହି ମାସରେ କୌଣସି ଶୁଭକାର୍ଯ୍ୟ ହୁଏ ନାହିଁ । ପରେ ସୌରମାସ ଗଣନା ଅନୁସାରେ ଯେଉଁ ୫ଦିନ ଛାଡ଼ି ଦିଆଯାଇଥିଲା ତାକୁ ବର୍ଷକର କେତେକ ମାସରେ ଯୋଡ଼ି ୩୧ ଦିନ କରାଗଲା । ଏହା ପ୍ରାୟ ୬ ହଜାର ବର୍ଷ ତଳର କଥା ।

 

ଅଧିବର୍ଷ କାହିଁକି ହେଲା ?

 

ମିଶାରୀୟ ଓ ବେବିଲୋନୀୟମାନେ ସୌରମାସ ଦିନ ଗଣନା ଅନୁସାରେ ବର୍ଷକ ୩୬୫ ଦିନ ବୋଲି ଯାହା ଧରିଥିଲେ ପରେ ଜଣାପଡ଼ିଲା ଯେ ଏହି ଗଣନା ଠିକ୍‌ ନୁହେଁ, ବର୍ଷକ ପ୍ରକୃତରେ ୩୬୫ ଦିନ ୬ଘଣ୍ଟା । ତେଣୁ ସେମାନେ ଏହି ହିସାବରେ ବର୍ଷକୁ ୬ଘଣ୍ଟା ଛାଡ଼ି ଦେଇ ଯାଉଥିଲେ । ସେହି ହିସାବରେ ୪ ବର୍ଷ ଶେଷରେ ୨୪ ଘଣ୍ଟା ବା ଗୋଟିଏ ଦିନ ଛାଡ଼ିଦେଉଥିଲେ-। ମିଶରର ଜଣେ ଶାସକ ତୃତୀୟ ଟୋଲେମି ଖ୍ରୀଷ୍ଟପୂର୍ବ ୨୩୮ ମସିହାରେ ଚାରିବର୍ଷ ଶେଷରେ ଏହି ଗୋଟିଏ ଦିନକୁ ବର୍ଷକ ୩୬୫ ଦିନ ସହିତ ଯୋଡ଼ି ଦେବାକୁ ଚାହିଁଥିଲେ-। ମାତ୍ର ଏହି ଉଦ୍ୟମରେ ସେ ସଫଳ ହୋଇପାରି ନଥିଲେ । ସେତେବେଳର ଜ୍ୟୋତିର୍ବିଦ ଓ ଧର୍ମଯାଜକମାନେ ସେମାନଙ୍କ ପ୍ରଭାବ ନଷ୍ଟ ହୋଇଯିବା ଆଶଙ୍କାରେ ଏହାକୁ ବାଧା ଦେଇଥିଲେ-। ମାତ୍ର ଏହାର ୨୦୦ ବର୍ଷପରେ ରୋମାନ ସମ୍ରାଟ ଜୁଲିୟସ ସିଜର ଏହାକୁ କାର୍ଯ୍ୟକାରୀ କରିଥିଲେ-। ଜୁଲିୟସ ସିଜରଙ୍କ ପ୍ରସ୍ତୁତ କ୍ୟାଲେଣ୍ଡର ଦିନପାଞ୍ଜି ପାଶ୍ଚାତ୍ୟ ଦେଶମାନେ ୧୨୦୦ ବର୍ଷ ପର୍ଯ୍ୟନ୍ତ ଗ୍ରହଣ କରିନେଇଥିଲେ । ଖ୍ରୀଷ୍ଟପୂର୍ବ ୭୫୩ ମସିହାଠାରୁ ଏହା କାର୍ଯ୍ୟକାରୀ ହୋଇଥିଲେ ।

 

ପ୍ରଥମ କ୍ୟାଲେଣ୍ଡର ବା ବର୍ଷ ପଞ୍ଜି କିପରି ତିଆରି ହେଲା ?

 

ପ୍ରାଚୀନ ମିଶର ଅଧିବାସୀମାନେ ହିଁ ପ୍ରାୟ ୬ହଜାର ବର୍ଷତଳେ ଠିକ୍‌ଭାବରେ ବର୍ଷ ଗଣନା କରିଥିଲେ । ସେମାନେ ପ୍ରଥମେ ଚନ୍ଦ୍ରମାସ ଅନୁସାରେ କ୍ୟାଲେଣ୍ଡର ବା ବର୍ଷ ପଞ୍ଜି ପ୍ରସ୍ତୁତ କରିଥିଲେ । ପ୍ରତି ଅମାବାସ୍ୟାରୁ ଅନ୍ୟ ଅମାବାସ୍ୟା ପର୍ଯ୍ୟନ୍ତ ସେମାନେ ୨୯ ଦିନ ବା ୩୦ ଦିନ ବୋଲି ଧରିଥିଲେ । ପରେ ସେମାନେ ମିଶର ଆକାଶରେ ସିରିୟସ୍‌ ନକ୍ଷତ୍ର ଦେଖାଦେବାପରେ ଯେତେବେଳେ ନାଇଲ ନଦୀରେ ବନ୍ୟା ଆସିଲା ସେତେବେଳଠାରୁ ବର୍ଷ ଗଣନା ଆରମ୍ଭ କଲେ ଏବଂ ଦେଖିଲେ ଯେ ବର୍ଷକ ହେଲା ୩୬୫ ଦିନ । ସେମାନେ ବର୍ଷକୁ ୧୨ ମାସରେ ବିଭକ୍ତ କରି ମାସକୁ ୩୦ ଦିନ ବୋଲି ଧାର୍ଯ୍ୟ କଲେ ଏବଂ ୬ ବର୍ଷ ଶେଷରେ ସେହି ବର୍ଷ ସହିତ ଗୋଟିଏ ଅଧିକ ମାସ ମିଶାଇଲେ, ତେଣୁ ସେହି ବର୍ଷଟି ହେଲା ୧୩ମାସ ଏବଂ ଶେଷ ମାସଟି ହେଲା ଯୋଡ଼ାମାସ । ମାତ୍ର ସେମାନେ ଚନ୍ଦ୍ରମାସ ଅନୁସାରେ ବର୍ଷ ଗଣନା କଲାବେଳେ ବର୍ଷକ ହେଉଥିଲା ୩୫୪ ଦିନ ଅର୍ଥାତ୍‌ ସୌରମାସ ଅନୁସାରେ ଏହା ଥିଲା ୧୧ଦିନ କମ୍‌ । ବେବିଲୋନୀୟମାନେ ମଧ୍ୟ ପ୍ରଥମେ ଚନ୍ଦ୍ରମାସ ହିସାବରେ ବର୍ଷ ଗଣୁଥିଲେ ଏବଂ ଶେଷରେ ସୌରମାସଭାବରେ ଗଣି ଅଧିକାମାସେ ୬ବର୍ଷ ଶେଷରେ ଯୋଡ଼ିଲେ ।

 

ବେବିଲୋନୀୟମାନଙ୍କ କ୍ୟାଲେଣ୍ଡର ବା ବର୍ଷପଞ୍ଜି ପୂରାପୂରି ଠିକ୍ ନଥିଲେ ମଧ୍ୟ ଅନ୍ୟ ବହୁ ଦେଶ ତାଙ୍କ ଦିନପଞ୍ଜି ବ୍ୟବହାର କରିଥିଲେ । ପ୍ରାଚୀନ ହିନ୍ଦୁମାନେ ମଧ୍ୟ ସେମାନଙ୍କ ବର୍ଷକୁ ୧୨ଟି ଚନ୍ଦ୍ରମାସରେ ଭାଗ ଭାଗ କରି ପ୍ରତି ମାସକୁ ୨୯ ଦିନ ବା ୩୦ ଦିନ ବୋଲି ଧରିଥିଲେ ଏବଂ ବର୍ଷ ଶେଷରେ ଅଧିକା ମାସଟିଏ ବର୍ଷ ସହିତ ଯୋଡ଼ିଥିଲେ । ରକ୍ଷଣଶୀଳ ହିନ୍ଦୁମାନେ ଏବେ ମଧ୍ୟ ଏହି ବର୍ଷ ପଞ୍ଜି ବ୍ୟବହାର କରୁଛନ୍ତି । ପୃଥ‌ିବୀର ସୃଷ୍ଟି ଦିନଠାରୁ ତାଙ୍କ ବର୍ଷପଞ୍ଜି ଆରମ୍ଭ ବୋଲି ହିନ୍ଦୁମାନେ ଧରିନେଇଥିଲେ । ସେମାନଙ୍କ ମତରେ ଖ୍ରୀଷ୍ଟପୂର୍ବ ୩୭୬୧ ସାଲ ଅକ୍ଟୋବର ୭ ତାରିଖରେ ପୃଥ‌ିବୀ ସୃଷ୍ଟି ହୋଇଥିଲା । ମୁସଲମାନମାନଙ୍କ କ୍ୟାଲେଣ୍ଡର ବା ବର୍ଷ ପଞ୍ଜି ୬୨୨ ଖ୍ରୀଷ୍ଟାବ୍ଦଠାରୁ ଗଣନା କରାଯାଇଥାଏ । କାରଣ ସେଦିନ ମହମ୍ମଦ ମକ୍‌କାଠାରୁ ଚାଲି ଆସିଥିଲେ । ଏହାକୁ କହନ୍ତି ହେଗିରା । ରୋମ ସହର ଯେଉଁଦିନ ପ୍ରତିଷ୍ଠିତ ହେଲା ସେହିଦିନଠାରୁ ରୋମୀୟ ବର୍ଷପଞ୍ଜି ଗଣନା କରାଯାଇଥାଏ ।

 

ରୋମୀୟ କ୍ୟାଲେଣ୍ଡର ବା ବର୍ଷ ପଞ୍ଜି ବଦଳିଲା କାହିଁକି ?

 

ରୋମୀୟ କ୍ୟାଲେଣ୍ଡର ଅନୁସାରେ ହିଁ ବର୍ତ୍ତମାନର ଇଂରେଜୀ ବର୍ଷ ପଞ୍ଜି ବା କ୍ୟାଲେଣ୍ଡର ବିକାଶ ଲାଭ କରିଥିଲା । ସର୍ବପ୍ରଥମେ ଯେଉଁ ରୋମୀୟ କ୍ୟାଲେଣ୍ଡର ତିଆରି ହୋଇଥିଲା ସେଥିରେ ବର୍ଷକ ୧୦ ମାସ ବୋଲି ଗଣନା କରାଯାଇଥିଲା ତେଣୁ ମାସକ ୩୦ ଦିନ ହିସାବରେ ବର୍ଷକ ହେଲା ୩୦୦ ଦିନ । ପରେ ବର୍ଷକ ୩୬୦ ଦିନ ବୋଲି ଗଣାଯିବାରୁ ୬୦ ଦିନ କମ୍‍ ହୋଇ ବର୍ଷ ପଞ୍ଜି ପ୍ରସ୍ତୁତ ହୋଇଛି ବୋଲି ଜଣାଗଲା । ପରେ ରୋମର ରାଜା ଅନୁମା ପମ୍ପଲିୟସ୍‌ ଏହି ସୌର ବର୍ଷର ଦିନସହିତ ଚାନ୍ଦ୍ର ବର୍ଷର ଦିନକୁ ସମାନ କରିବାପାଇଁ ବର୍ଷେ ବର୍ଷେ ଅଧିକ ମାସଟିଏ ସେମାନେ ଯୋଡ଼ି ଦେଉଥିଲେ । ଏହା ବିଜ୍ଞତାର କାର୍ଯ୍ୟ ନୁହେଁ ବୋଲି ପରେ ଜଣାପଡ଼ିଲା । ରୋମର ଜୁଲିୟସ ସିଜର ରାଜତ୍ଵ କଲାବେଳେ ବର୍ଷ ପଞ୍ଜିର ଗଣନା ବଡ଼ ଗୋଳମାଳିଆ ହୋଇ ରହିଥିଲା । ରୋମ ସମ୍ରାଟ୍‌ ଜୁଲିୟସ ସିଜର ରୋମର ତତ୍‌କାଳୀନ ବିଶିଷ୍ଟ ଜ୍ୟୋତିର୍ବିଦ୍‌ ଶଶିଜେନିସକ ସହିତ ପରାମର୍ଶ କରି ଖ୍ରୀଷ୍ଟପୂର୍ବ ୪୬ ସାଲରେ ନଭେମ୍ବର ଓ ଡିସେମ୍ବର ମାସ ଭିତରେ ୬୭ ଦିନ ଯୋଡ଼ି ଦେଲେ । ଏହା ଫଳରେ ବର୍ଷକ ହୋଇଗଲା ୪୪୫ ଦିନ । ଏହାଦ୍ଵାରା ଜ୍ୟୋତିର୍ବିଦମାନେ ଗଣନା କରୁଥିବା ବର୍ଷ ସହିତ ସାଧାରଣ ଭାବରେ ଲୋକେ ବ୍ୟବହାର କରୁଥିବା ବର୍ଷ ସମାନ ହୋଇଗଲା । ଜୁଲିୟସ ସିଜର ସଂଶୋଧିତ କ୍ୟାଲେଣ୍ଡର ବା ବର୍ଷ ପଞ୍ଜି ପ୍ରଚଳନ କରିବାପାଇଁ ଦୃଢ଼ ପ୍ରତିଜ୍ଞ ହୋଇ ଘୋଷଣା କଲେ ଯେ ଏଣିକି ଚାନ୍ଦ୍ର ବର୍ଷ ପାଞ୍ଜି ବଦଳରେ ସୌର ବର୍ଷ ପାଞ୍ଜି ପ୍ରଚଳିତ ହେବ ଏବଂ ବର୍ଷକ ହେବ ୩୬୫ ଦିନ ୬ଘଣ୍ଟା । ଚାରିବର୍ଷ ହେବ ୩୬୫ ଦିନ ଏବଂ ଚତୁର୍ଥ ବର୍ଷ ହେବ ୩୬୬ ଦିନ । ଏହାକୁ କୁହାଗଲା ଲିପ୍‌ଇୟର ବା ଅଧିବର୍ଷ ।

Image

(ମିଶରୀୟମାନଙ୍କ ପ୍ରଥମ କ୍ୟାଲେଣ୍ଡର)

 

ଏହି ଆଦେଶ ଅନୁସାରେ ମାର୍ଚ୍ଚମାସ ବଦଳରେ ଜାନୁଆରୀ ମାସଠାରୁ ବର୍ଷ ଗଣନା ଆରମ୍ଭ ହେଲା । ପ୍ରାଚୀନ ରୋମରେ ଏକମାତ୍ର ଫେବୃୟାରୀ ମାସ ଛଡ଼ା ଅନ୍ୟ ସବୁ ମାସ ଥିଲା ୨୯ ଦିନ ବା ୩୧ ଦିନ । ଯୋଡ଼ା ସଂଖ୍ୟାକୁ ସେମାନେ ଅଶୁଭ ବୋଲି ମନେ କରୁଥିଲେ । ଆମ ଦେଶର ଜ୍ୟୋତିର୍ବିଦମାନେ ଏବେ ମଧ୍ୟ ଯୋଡ଼ା ବର୍ଷକୁ ଅଶୁଭ ବୋଲି ମନେ କରିଥାନ୍ତି । ବର୍ଷ ଶେଷକୁ ଦୁର୍ଭାଗ୍ୟଜନକ ସମୟ ବୋଲି ମନେ କରୁଥିବାରୁ ବର୍ଷ ଶେଷ ଫେବୃୟାରୀ ମାସକୁ ୨୮ ଦିନ ବୋଲି ହିସାବ କରୁଥିଲେ । ଯାହାହେଉ ରୋମା ସମ୍ରାଟ ସିଜର ଆଦେଶ ଦେଲେ ଯେ ଏଣିକି ବର୍ଷକର ସାତମାସ ହେବ ୩୧ ଦିନ, ୪ ମାସ ହେବ ୩୦ ଦିନ ମାତ୍ର ଫେବୃୟାରୀ ମାସ ପୂର୍ବପରି ୨୮ ଦିନ ରହିବ । ସମ୍ରାଟ ଜିଲିୟସ ସିଜରଙ୍କ ନାମ ଅନୁସାରେ ବର୍ଷର କୁଇଣ୍ଟିଲିସ ନାମ ବଦଳାଇ ହେଲା ‘ଜୁଲାଇ’ ଏବଂ ନୂତନ କ୍ୟାଲେଣ୍ଡରର ନାମ ରଖାଗଲା–ଜୁଲିୟାନ୍‌ କ୍ୟାଲେଣ୍ଡର ।

 

ମୟା ଓ ଆଜଟେକ କ୍ୟାଲେଣ୍ଡର

 

ଖ୍ରୀଷ୍ଟପୂର୍ବ ଦୁଇହଜାର ବର୍ଷପୂର୍ବେ ମେକ୍ସିକୋ ଓ ଆଟାମାଳାର ମୟା ସଭ୍ୟତାର ଅଧିବାସୀମାନେ ଏକ କ୍ୟାଲେଣ୍ଡର ପ୍ରଚଳନ କରିଥିଲେ । ଆଶ୍ଚର୍ଯ୍ୟର କଥା ସେମାନେ ବର୍ଷକ ୩୬୫.୨୪ ଦିନ ହିସାବ କରିଥିଲେ । ବର୍ଷର ଶେଷ ପାଞ୍ଚଦିନଟିକୁ ସେମାନେ ଖୁବ୍‌ ଭୟ କରୁଥିଲେ । ଏହି ପାଞ୍ଚଦିନ ସେମାନେ କିପରି କଟାଇବେ ସେଥିପାଇଁ ପୁରୋହିତମାନଙ୍କ ସହିତ ପରାମର୍ଶ କରୁଥିଲେ । ସେମାନଙ୍କର ଜ୍ୟୋତିର୍ବିଜ୍ଞାନ ସମ୍ବନ୍ଧରେ ବିଶେଷ ଅଧ୍ୟୟନ କରିବାର ଅନୁମାନ କରାଯାଉଛି । ଏବେ ମଧ୍ୟ ମେକ୍‌ସିକୋ ସହରରେ ପଥରରେ ଖୋଳା ହୋଇଥିବା କ୍ୟାଲେଣ୍ଡର ଦେଖିବାକୁ ମିଳେ । ପରବର୍ତ୍ତୀ କାଳରେ ଆଜଟେକ ମୟା ସଭ୍ୟତାକୁ ଦଖଲ କରିନେଇଥିଲେ । ସେମାନେ ରେଡ଼୍‌ ଇଣ୍ଡିଆନ ନାମରେ ପରିଚିତ ଥିଲେ । ସେମାନେ ମଧ୍ୟ କ୍ୟାଲେଣ୍ଡର ସମ୍ବନ୍ଧରେ ଅଭିଜ୍ଞ ଥିଲେ ।

 

ଗ୍ରେଗରୀୟ କ୍ୟାଲେଣ୍ଡର

 

ଜୁଲିୟାନ୍‌ କ୍ୟାଲେଣ୍ଡର ଷୋଡ଼ଶ ଶତାବ୍ଦୀ ଶେଷଭାଗ ପର୍ଯ୍ୟନ୍ତ ଚାଲିଥିଲା । ସେହି ସମୟରେ କାଥୋଲିକ ପାଦ୍ରୀମାନେ ଜୁଲିୟସ କ୍ୟାଲେଣ୍ଡରରେ ସଂଶୋଧନ କରିବାପାଇଁ ଚାହିଁଲେ-। ସେ ପର୍ଯ୍ୟନ୍ତ ରାଜା ବା ପୋପ୍‌ ଏହା କରିପାରିନଥିଲେ । ଶେଷରେ ପୋପ୍‍ ତ୍ରୟଦଶ ଗ୍ରେଗରୀ ୧୫୮୨ ଖ୍ରୀଷ୍ଟାବ୍ଦରେ କେବଳ ବୈଜ୍ଞାନିକଙ୍କ ପରାମର୍ଶରେ କ୍ୟାଲେଣ୍ଡର ସଂଶୋଧନ କରାଇଥିଲେ-। ସେମାନେ ଦେଖ‌ିଲେ ଯେ ଇଷ୍ଟର ଓ ଅନ୍ୟାନ୍ୟ ଭୋଜି ଓ ବିଶ୍ରାମ ଦିନ ଯେଉଁ ଋତୁରେ ଯେତେବେଳେ ପଡ଼ିବା କଥା ତାହା ପଡ଼ୁନାହିଁ । ପୋପ୍‌ ପ୍ରେଗରୀ ୧୫୮୨ ମସିହା ବର୍ଷ ଭିତରୁ ୧୦ ଦିନ ବାଦ ଦେବାପାଇଁ ଆଦେଶ ଦେଲେ । ଆହୁରି ମଧ୍ୟ ଆଦେଶ ଦେଲେ ଯେ ଯେଉଁସବୁ ଶତକ ୪୦୦ରେ ଭାଗ କରିହେବ ସେଗୁଡ଼ିକର ଅଧିବର୍ଷ ବା ସେ ବର୍ଷର ଫେବୃଆରୀ ମାସ ୨୯ ଦିନ ହେବ । ମାତ୍ର ଅନ୍ୟ କୌଣସି ବର୍ଷର ଅଧିବର୍ଷ ହେବ ନାହିଁ । ଗ୍ରେଗରୀୟ ବର୍ଷପଞ୍ଜି ସଂଶୋଧନର ଏହାହିଁ ଗୁରୁତ୍ଵପୂର୍ଣ୍ଣ ବିଷୟ । ପ୍ରୋଟେଷ୍ଟାଷ୍ଟ ଦେଶମାନ ଏହାକୁ ବିଳମ୍ବରେ ଗ୍ରହଣ କଲେ । ୧୭୫୨ ମସିହାରେ ଇଂଲଣ୍ଡ ଗ୍ରେଗରୀୟ କ୍ୟାଲେଣ୍ଡରକୁ ଗ୍ରହଣ କରିଥିଲେ-। ସେତେବେଳକୁ ଗ୍ରେଗରୀୟ କ୍ୟାଲେଣ୍ଡର ପୁରୁଣା କ୍ୟାଲେଣ୍ଡର ବର୍ଷଠାରୁ ୧୧ ଦିନ ଅଧିକ ଥିଲା ତେଣୁ ସେମାନେ ସେହିବର୍ଷରୁ ୧୧ ଦିନ ବାଦ ଦେଇଥିଲେ । ବର୍ତ୍ତମାନ ଗ୍ରେଗରୀୟ କ୍ୟାଲେଣ୍ଡର ସମଗ୍ର ପୃଥ‌ିବୀରେ ପ୍ରଚଳିତ ହେଉଛି ।

☆☆☆

 

ପୃଥ‌ିବୀ ଓ ଜୀବନର ଜନ୍ମ

ପୃଥ‌ିବୀର ପିଲାଦିନ କେମିତି ଥିଲା ?

 

ମନୁଷ୍ୟର ପିଲାଦିନ କଥା ଲେଖିବା ସହଜ । ଜଣକୁ ଯଦି ୬୦ ବର୍ଷ ବୟସ ହୋଇଥାଏ ତାହେଲେ ୫୦ ବର୍ଷତଳେ ତା’ର ପିଲାଦିନ ଥିଲା ତେଣୁ ୫୦ ବର୍ଷ ତଳ କଥା ମନେ ପକାଇବାରେ କିଛି ଅସୁବିଧା ନାହିଁ । ମାତ୍ର ପୃଥ‌ିବୀର ପିଲାଦିନ କଥା ଲେଖିବା ଅତ୍ୟନ୍ତ କଠିନ କଥା । ବୈଜ୍ଞାନିକମାନେ ନାନା ଅଧ୍ୟୟନ ଓ ଗବେଷଣା ପରେ ବର୍ତ୍ତମାନ ଅନୁମାନ କରିଛନ୍ତି ଯେ ଆଜିକି ୪୬୦ କୋଟି ବର୍ଷତଳେ ପୃଥ‌ିବୀ ଜନ୍ମ ହୋଇଥିଲା । ତେଣୁ ପୃଥ‌ିବୀର ପିଲାଦିନ ପ୍ରାୟ ୪୦୦ କୋଟି ବର୍ଷ ତଳର କଥା । ୪୦୦ କୋଟି ବର୍ଷ ତଳେ ପୃଥ‌ିବୀ କି ଅବସ୍ଥାରେ ଥିଲା ତାହା ଜାଣିବା ନିଶ୍ଚିତ ଭାବରେ ଅସମ୍ଭବ କଥା । ସୂର୍ଯ୍ୟ ଚାରିପଟେ ଯେଉଁ ୯ଟି ଗ୍ରହ ବୁଲୁଛନ୍ତି ପୃଥ‌ିବୀ ସେଥିଭିତରୁ ଗୋଟିଏ ଗ୍ରହ । ସୂର୍ଯ୍ୟ ଦେହରୁ ଖଣ୍ଡେ ଛିଣ୍ଡି ତାହା ୯ଟି ଗ୍ରହରେ ପରିଣତ ହୋଇ ସୂର୍ଯ୍ୟ ଚାରିପଟେ ବୁଲୁଥିଲା ଏହି ସବୁ ଗ୍ରହ ସୂର୍ଯ୍ୟଙ୍କ ପରିବାରର ସଭ୍ୟ । ସୂର୍ଯ୍ୟ ତାରି ଚାରିପଟେ ଗ୍ରହମାନଙ୍କୁ ସ୍ଥାନ ଦେଇଛି । ସମସ୍ତଙ୍କୁ.ଆକର୍ଷଣ କରି ରଖିଛି । ଆଲୋକ ଦେଉଛି । ଅନ୍ୟ କୌଣସି ଗ୍ରହର ନିଜର ଆଲୋକ ନାହିଁ । ସୂର୍ଯ୍ୟ ଭିତରେ ଯେଉଁସବୁ ଗ୍ୟାସ ବା ବାଷ୍ପ ଅଛି, ଊଣା ଅଧିକ ସେସବୁ ବାଷ୍ପଦ୍ଵାରା ପୃଥ‌ିବୀ ସମତେ ସବୁ ଗ୍ରହ ଗଠିତ ହୋଇଛି । ତେବେ ବିଭିନ୍ନ ବାଷ୍ପ ଭିନ୍ନ ଭିନ୍ନ ପରିମାଣରେ ଗ୍ରହଭିତରେ ରହିଛି ।

 

ପ୍ରଥମାବସ୍ଥାରେ ସମସ୍ତ ଗ୍ରହ ପ୍ରଚଣ୍ଡ ଉତ୍ତପ୍ତ ବାଷ୍ପ ପିଣ୍ଡୁ ଆକାରରେ ନିଜ ନିଜ କକ୍ଷରେ ବୁଲୁଥିଲେ । ଏହିପରି କୋଟି କୋଟି ବର୍ଷ ବୁଲିବା ପରେ ଏକମାତ୍ର ପୃଥ‌ିବୀ ଗ୍ରହରେ ଏପରି ଉପାଦାନ ଥିଲା ଯାହାକି ସର୍ବାପେକ୍ଷା ଚଞ୍ଚଳ ଥଣ୍ଡା ହୋଇଗଲା । ସେଥ‌ିପାଇଁ ପୃଥ‌ିବୀରେ ଜଳ ଓ ପରେ ପ୍ରାଣୀ ଆବିର୍ଭାବ ହେଲା । ଏପର୍ଯ୍ୟନ୍ତ ଅନ୍ୟ କୌଣସି ଗ୍ରହରେ ପାଣି ବା ଜୀବନ ଥିବାର ଜଣାପଡ଼ି ନାହିଁ । କୌଣସି ଜିନିଷ ଥଣ୍ଡା ହୋଇଗଲେ ସେଥ‌ିରେ ଥିବା ଜୀବାଣୁ ସଂକୁଚିତ ହୋଇଯାଆନ୍ତି ଏବଂ ତାହା ଜମାଟ ବାନ୍ଧିଯାଏ । ଦୃଷ୍ଟାନ୍ତ ସ୍ଵରୂପ ପାଣିକୁ ରେଫ୍ରିଜେଟର ଭିତରେ ରଖିଦେଲେ ତାହା ଥଣ୍ଡା ହୋଇ ବରଫ ହୋଇଯାଏ । ସେହିପରି ଚିନି ମିଶ୍ରି ହୋଇଯାଏ ।

 

ପୃଥ‌ିବୀର ପିଲାଦିନ ବା ପ୍ରଥମାବସ୍ଥାରେ ସେହିପରି ହୋଇଥିଲା । ଯେଉଁସବୁ ଗ୍ୟାସ ବା ବାଷ୍ପକୁ ଧରି ପୃଥ‌ିବୀ ବୁଲୁଥିଲା, କୋଟି କୋଟି ବର୍ଷ ବୁଲିଲା ପରେ ସେହି ଗ୍ୟାସ ଥଣ୍ଡା ହୋଇଗଲା । ଥଣ୍ଡା ହେଲାପରେ ତାହା ସଂକୁଚିତ ହୋଇଯାଇ ଜମାଟ ବାନ୍ଧି ପଥର ଆକାର ଧାରଣ କଲା, ଯେଉଁସବୁ ପଥରରେ ଲୁହା ଓ ନିକେଲ ଭଳି ଧାତବ ପଦାର୍ଥ ଥିଲା ତାହା ସବୁ ଅଧିକ ଭାରି ତେଣୁ ଏଗୁଡ଼ିକ ପୃଥ‌ିବୀର କେନ୍ଦ୍ରଭାଗରେ ଯାଇ ଜମା ହେଲା । ପୃଥ‌ିବୀର ନିମ୍ନତମ ଭାଗକୁ କେନ୍ଦ୍ରଭାଗ ବୋଲି କୁହାଯାଏ କାହିଁକି ନା ପୃଥ‌ିବୀ ଗୋଲ, ଏହା ଉପରେ ରହିଲା ଲୁହାଠାରୁ କମ୍‌ ଓଜନ ପଥର ସ୍ତର । ଏହାକୁ ଇଂଗ୍ରେଜୀରେ କୁହାଗଲା ମାନ୍‌ଣ୍ଟଲ । ସବାଉପରେ ରହିଲା ଭୂପୃଷ୍ଠ, ଭୂପୃଷ୍ଠ ଗ୍ରାନାଇଟ୍‌ ପଥରଦ୍ଵାରା ଗଠିତ ହେଲା । ଗ୍ରାନାଇଟ୍‌ ପଥର କମ୍‌ ଓଜନର ପଥର । ପରେ ଏହା ଉପରେ ମାଟି ଜମା ହେଲା, କେନ୍ଦ୍ରଭାଗର ପ୍ରଚଣ୍ଡ ଚାପ ସତ୍ତ୍ୱେ ଲୁହା ଘନୀଭୂତ ଆକାରରେ ହିଁ ରହିପାରିଛି, ମାତ୍ର କେନ୍ଦ୍ରଭାଗର ବାହ୍ୟ ଅଂଶରେ ଅଳ୍ପ ପରିମାଣ ଚାପ ଯୋଗୁଁ ଧାତୁ ପଦାର୍ଥ ତରଳିଯାଏ ।

 

ପୃଥ‌ିବୀର ଏହାହିଁ ପିଲାଦିନର ଅବସ୍ଥା, ପୃଥ‌ିବୀ କେବଳ ଘନୀଭୂତ ପ୍ରଚଣ୍ଡ ଉତ୍ତପ୍ତ ବାଷ୍ପ ଆକାରରେ କୋଟି କୋଟି ବର୍ଷ ରହିବା ପରେ ଏହିଭଳି ପରିବର୍ତ୍ତନ ଘଟିଥିଲା । ତଥାପି ସେତେବେଳକୁ ପୃଥ‌ିବୀ ପୃଷ୍ଠ ଉତ୍ତପ୍ତ ହୋଇ ରହିଥିଲା । ପୂର୍ବଭଳି ପ୍ରଚଣ୍ଡ ଉତ୍ତାପ ନଥିଲେ ମଧ୍ୟ ତଥାପି ଯଥେଷ୍ଟ ଉତ୍ତାପ ଥାଏ । ଏହି ଅବସ୍ଥାରେ ପୃଥ‌ିବୀ କୋଟି କୋଟି ବର୍ଷ ପଡ଼ିରହି ବର୍ଷାକୁ ଚାହିଁ ରହିଲା । ବର୍ଷା ହେବା ପରେ ପରେ ଯାଇ ପୃଥ‌ିବୀରେ ପରିବର୍ତ୍ତନ ଘଟିଲା ।

☆☆☆

 

ପୃଥ‌ିବୀ ଉପରେ ପ୍ରଥମ ବର୍ଷା କେମିତି ହେଲା

 

ପୃଥ‌ିବୀ ଯଥେଷ୍ଟ ଥଣ୍ଡା ହୋଇଯିବାପରେ ପୃଥ‌ିବୀର ଉପରିଭାଗ ଘନୀଭୂତ ହୋଇ କଠିନ ଭୂପୃଷ୍ଠ ଗଠିତ ହୋଇଗଲା । ଭୂପୃଷ୍ଠରେ ପ୍ରଥମେ ଯେଉଁ ପ୍ରସ୍ତର ସ୍ତର ଥିଲା ତା’ ଉପରେ ମହାକାଶରୁ ଉଲ୍‌କାପିଣ୍ଡମାନ ବହୁ ସଂଖ୍ୟାରେ ପଡ଼ି ପଡ଼ି ଅନେକ ସ୍ଥାନରେ ଗାଡ଼ ହୋଇଗଲା । ସୌରମଣ୍ଡଳ ଭିତରେ ଯେଉଁ ଉଲ୍‌କାପିଣ୍ଡମାନ ସୂର୍ଯ୍ୟ ଚାରିପଟେ ବୁଲୁଥିଲା ତାକୁ ସୌରମଣ୍ଡଳରେ ଅଟକାଇବା ଭଳି ବାୟୁମଣ୍ଡଳ ନଥ‌ିବାରୁ ସେଗୁଡ଼ିକ ପ୍ରଚଣ୍ଡ ବେଗର ଭୂପୃଷ୍ଠରେ ପଡ଼ିଯାଉଥିଲା । ତା’ ଫଳରେ ଅନେକ ସ୍ଥାନରେ ଗାଡ଼ ହୋଇଗଲା । ତେଣୁ ପୃଥ‌ିବୀ ଗର୍ଭରୁ ଅଧ‌ିକ ପରିମାଣର ଗ୍ୟାସ ଉପରକୁ ଉଠିଯାଇ ବାୟୁମଣ୍ଡଳରେ ମିଶିଗଲା । ଉଲ୍‌କାପିଣ୍ଡର ଆଘାତ ଫଳରେ ଭୂ-ଗର୍ଭସ୍ଥ ପଥରଗୁଡ଼ିକ ଫାଟି ସେଥିରୁ ଅଙ୍ଗାରକାମ୍ଳ, ଯବକ୍ଷାରଜାନ ଓ ଜଳୀୟବାଷ୍ପ ପ୍ରଭୃତି ବାଷ୍ପମାନ ପୃଥ‌ିବୀର ବାୟୁମଣ୍ଡଳକୁ ଚାଲି ଯାଇଥିଲା । ଏଥିଭିତରୁ ଜଳୀୟବାଷ୍ପ ଭୂପୃଷ୍ଠଉପର ବାୟୁମଣ୍ଡଳ ରହିଥିଲେ ମଧ୍ୟ ବର୍ଷାହେଲା ନାହିଁ । ଥଣ୍ଡା ପବନ ପାଇବାପରେ ଯାଇ ବର୍ଷା ହେଲା ।

 

ସେତେବେଳକୁ ପୃଥିବୀ ଯଥେଷ୍ଟ ଥଣ୍ଡା ହୋଇଯାଇଥିଲେ ମଧ୍ୟ ବର୍ଷାପାଣି ପଡ଼ିଲେ ତାହା ତରଳ ଅବସ୍ଥାରେ ଜମାହୋଇ ରହିବାଭଳି ଅବସ୍ଥାକୁ ଆସିନଥିଲା । ତେଣୁ ପ୍ରଥମେ ଯେତେବେଳେ ବର୍ଷା ହେଲା ପୃଥ‌ିବୀ ଉପର ଭାଗ ଉତ୍ତପ୍ତ ଥିବା ପର୍ଯ୍ୟନ୍ତ ବର୍ଷାପାଣି ପୃଥ‌ିବୀ ଉପରେ ପଡ଼ିଲାକ୍ଷଣି ତାହା ପୁଣି ବାଷ୍ପ ହୋଇ ଉପରକୁ ଉଠି ଯାଉଥିଲା । ଏହିପରି ବହୁକାଳ ଚାଲିଯିବାପରେ ଶେଷରେ ଭୂପୃଷ୍ଠ ଯେତେବେଳେ ଯଥେଷ୍ଟ ଥଣ୍ଡା ହୋଇଗଲା ଏବଂ ବର୍ଷାପାଣି ଆଉ ଜଳୀୟବାଷ୍ପ ହୋଇ ଉପରକୁ ଉଠିଲା ନାହିଁ ସେତେବେଳକୁ ପୃଥ‌ିବୀ ଉପର ବାୟୁମଣ୍ଡଳରେ ଯଥେଷ୍ଟ ଜଳୀୟବାଷ୍ପ ଜମାହୋଇ ରହିଲାଣି, ତେଣୁ ଚାରିଆଡ଼େ ଅନବରତ ବର୍ଷା ଚାଲିଲା ଓ ଭୂପୃଷ୍ଠରେ ପାଣି ଜମାହୋଇ ରହିଗଲା । ଆକାଶ ବା ବାୟୁମଣ୍ଡଳରେ ପୁଞ୍ଜିଭୂତ ହୋଇ ରହିଥିବା ଜଳୀୟବାଷ୍ପ ଶେଷ ନ ହେବା ପର୍ଯ୍ୟନ୍ତ ଅନବରତ ବର୍ଷା ହୋଇ ଭୂପୃଷ୍ଠର ଚାରିଆଡ଼େ ପାଣିରେ ବୁଡ଼ିରହିଲା । ଚାରିଆଡ଼େ ଖାଲି ପାଣି, ପାଣି; ଏହାକୁ ଭାରତୀୟ ପୁରାଣ ଓ ବାଇବେଲରେ ମହାପ୍ରଳୟ ବୋଲି ବର୍ଣ୍ଣନା କରାଯାଇଛି ଓ ଏହି ପ୍ରଳୟକୁ ବର୍ଣ୍ଣନା କରି କେତେ ପ୍ରକାର କାହାଣୀ ଲିପିବଦ୍ଧ ହୋଇଛି । ଅନବରତ ବର୍ଷା ହୋଇ ପୃଥ‌ିବୀପୃଷ୍ଠ ଚାରିଆଡ଼େ ପାଣିରେ ଭର୍ତ୍ତିହୋଇ ଗଲାପରେ ବର୍ଷା ଛାଡ଼ିଲା, ପୁଣି ସୂର୍ଯ୍ୟର ଆଲୋକ ପୃଥ‌ିବୀ ଉପରେ ପଡ଼ିଲା । ଏହାପରେ ପାଣିର କିଛି ଅଂଶ ଜଳୀୟବାଷ୍ପ ହୋଇ ଉପରକୁ ଉଠିଲା ଏବଂ ସେଥ‌ିରେ ଥଣ୍ଡା ପବନ ବାଜି ପୁଣି ବର୍ଷା ହେଲା । କିଛି ଦିନ ବର୍ଷା ହୋଇ ପୁଣି ବର୍ଷା ଛାଡ଼ିଯାଏ । ଏହିପରି ବହୁକାଳ ଚାଲିଲା । ଏହା ଭିତରେ ପୃଥିବୀ ଥଣ୍ଡା ହୋଇଯାଇ ପୃଥ‌ିବୀର ପୃଷ୍ଠଭାଗ ସଂକୁଚିତ ହୋଇଯାଇଥିଲା ଏବଂ ଏହି ସଂକୋଚନ ଫଳରେ ପୃଥ‌ିବୀର ନିମ୍ନଭାଗ ଦୋହଲି ଯାଇ ଦବି ଯାଇଥିଲା । ସେହି ଦବି ଯାଇଥିବା ଖାଲ ଅଂଶରେ ପାଣି ଜମାହୋଇ ରହିଲା । ବୈଜ୍ଞାନିକମାନଙ୍କ ମତରେ ପୃଥ‌ିବୀର ନିମ୍ନ ଭାଗରେ ଥ‌ିବା କେତେକ ପଥରରେ ଯେଉଁସବୁ ତେଜଷ୍କ୍ରିୟ ଧାତୁ ମିଶିକରି ରହିଥିଲା ସେହିସବୁ ଧାତୁ ଏତେ ଉତ୍ତାପ ସୃଷ୍ଟି କଲା ଯେ ସେଥିରେ ତା’ ତଳେ ଥିବା ପଥର ତରଳିଯାଇ ଉପରକୁ ଉଠିଗଲା ଏବଂ ଉପରେ ଥଣ୍ଡା ହୋଇଯାଇ ଶକ୍ତ ହୋଇଗଲା । ଏହିପରି ସ୍ଥଳଭାଗ ସୃଷ୍ଟି ହେଲା ।

 

ପୃଥ‌ିବୀ ଗଠନର ଏହା ହେଲା ଦ୍ଵିତୀୟ ପର୍ଯ୍ୟାୟ । ବର୍ଷା ହେବାପରେ ପାଣି ଜମାହୋଇ ରହିବାରୁ ସେହି ପାଣିରେ ପ୍ରଥମ ଜୀବନର ସୃଷ୍ଟି ହେଲା । ସେତେବେଳକୁ ପୃଥ‌ିବୀ ସୃଷ୍ଟିର ପ୍ରାୟ ୨୫୦ କୋଟି ବର୍ଷ ଚାଲିଗଲାଣି ।

☆☆☆

 

ଜୀବନର ଇତିହାସ କେଉଁଠୁ ମିଳିଲା

 

ବୈଜ୍ଞାନିକମାନେ ବର୍ତ୍ତମାନ ଜାଣି ସାରିଲେଣି ଯେ ପୃଥ‌ିବୀର ଜଳଭାଗ ଓ ସ୍ଥଳଭାଗରେ ବିଭିନ୍ନ ପ୍ରକାର ଉଦ୍ଭିଦ, ଜୀବଜନ୍ତୁ ଓ ଶେଷରେ ମନୁଷ୍ୟ ସମସ୍ତେ ଏକ ସମୟରେ ଜନ୍ମ ହୋଇନଥିଲେ । ଗୋଟିକପରେ ଗୋଟିଏ ଜନ୍ମ ହୋଇଥିଲେ । ଏହା ଜଣାପଡ଼ିବା ପରେ ଜୀବନର ଇତିହାସ ଲେଖିବା ସମ୍ଭବ ହେଲା । ଜୀବନ ତିଆରି ପଦାର୍ଥରୁ ଯେଉଁ ପ୍ରଥମ ଜୀବ ଜନ୍ମଲାଭ କରିଥିଲା ତା’ର ଗୋଟିଏ ମାତ୍ର କୋଷ ଥିଲା । ଏହି ଜୀବ ସୃଷ୍ଟି ହେବାର ୨୦୦ କୋଟି ବର୍ଷ ହୋଇଗଲାଣି ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି । ତା’ହେଲେ ଏତେ ଦିନର କଥା ଏବେ କେମିତି ଜଣାପଡ଼ିଲା ବୋଲି ପିଲାମାନେ ପଚାରିପାରନ୍ତି । ପ୍ରକୃତ ଜୀବନ୍ତ ପ୍ରାଣୀ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଏହାର ଇତିହାସକୁ ମଧ୍ୟ ପଥର ଉପରେ ଲେଖିଦେଇଯାଇଛି । କୋଟି କୋଟି ବର୍ଷ ତଳର ଗଛପତ୍ର ଓ ଜୀବଜନ୍ତୁଙ୍କ ଦେହ ବା ଦେହର ବିଭିନ୍ନ ଅଂଶ ମାଟି ବା ପଥର ତଳେ ରହି ପଥର ପାଲଟିଯାଇଛି । ଏହାକୁ ବୈଜ୍ଞାନିକମାନେ କହୁଛନ୍ତି ‘ଫସିଲ’ । ଓଡ଼ିଆରେ ଏହାକୁ ପୁରାତନ ଦେହାବଶେଷ ବୋଲି କୁହାଯାଇପାରେ । ମାଟି ବା ପଥର ତଳେ ରହିଯାଇଥିବା ବହୁ ପୁରାତନ କାଳର ଗଛପତ୍ର, ଜୀବଜନ୍ତୁ ବା ମନୁଷ୍ୟଙ୍କ ସମ୍ପୂର୍ଣ୍ଣ ଦେହ ଓ ଦେହର ବିଭିନ୍ନ ଅଙ୍ଗକୁ ବୈଜ୍ଞାନିକମାନେ ଖୋଳି ବାହାର କରି ଏହାକୁ ଯୋଡ଼ାଯୋଡ଼ିକରି ଏହା କି ପ୍ରକାର ପ୍ରାଣୀର ଦେହ ଏବଂ ଏହା କେତେ ବର୍ଷ ତଳର ତାହା ବୈଜ୍ଞାନିକ ପଦ୍ଧତିରେ ଅନୁଧ୍ୟାନକରି ଜୀବନର କ୍ରମ ବିକାଶର ଚିତ୍ର ପାଇଥିଲେ । ପଥରଗୁଡ଼ିକ କେତେ ବର୍ଷ ତଳର ତାହା ଜାଣିବାପାଇଁ ଏକ ବୈଜ୍ଞାନିକ ପଦ୍ଧତି ଆବିଷ୍କୃତ ହୋଇଛି । ଏହାକୁ ‘କାର୍ବନ-୧୪ ପଦ୍ଧତି’ ବୋଲି କୁହାଯାଏ ।

 

ବିଭିନ୍ନ ସମୟରେ ପୃଥ‌ିବୀର ଜଳ ଓ ସ୍ଥଳ ଭାଗରେ ଭିନ୍ନ ଭିନ୍ନ ପ୍ରକାର ଗଛପତ୍ର ଜୀବଜନ୍ତୁ ଥିଲେ । ପୃଥ‌ିବୀର କେତୋଟି ସ୍ଥାନରେ ଏସବୁ ଗଛପତ୍ର ବା ଜୀବଜନ୍ତୁଙ୍କ ଫସିଲ ବା ଦେହାବଶେଷ ସ୍ତର ସ୍ତର ହୋଇ ରହିଛି । ସ୍ଥଳ ବା ଜଳଭାଗର ସବାତଳେ ରହିଥିବା ପ୍ରାଣୀଙ୍କ ଦେହାବଶେଷ ସର୍ବାପେକ୍ଷା ପୁରାତନ ଏବଂ ତା’ ଉପର ସ୍ତରର ଫସିଲ ତା’ ପରବର୍ତ୍ତୀ ଯୁଗର, ଏହିପରି ଭାବରେ ମାଟି ବା ଜଳଭାଗର ସବା ଉପରେ ଯେଉଁ ଫସିଲ ବା ଦେହାବଶେଷ ମିଳିଛି ତାହା ଅଳ୍ପକାଳ ପୂର୍ବର ବୋଲି ଜଣାପଡ଼ିଛି ।

 

ପୃଥ‌ିବୀର ସର୍ବପ୍ରଥମ ଜୀବନ୍ତ ପ୍ରାଣୀ ଥିଲା ଜେଲିମାଛ ଭଳି । ଏହାର ହାଡ଼ ବା ମେରୁଦଣ୍ଡ ନଥିଲା । ଏହା ଥିଲା ଗୋଟିଏ ମାଂସ ପିଣ୍ଡୁଳା ଭଳିଆ । ଏହିପରି ଜୀବର ମୃତ୍ୟୁ ପରେ ତାଙ୍କ ନରମ ମାଂସ ପଚି ନଷ୍ଟ ହୋଇଯାଇଥିଲା । ତେଣୁ ଏହିପରି ଜୀବଙ୍କର ଫସିଲ ମିଳି ନାହିଁ । କେବଳ ହାଡ଼ ଓ ମେରୁଦଣ୍ଡ ଥ‌ିବା ଜୀବଜନ୍ତୁଙ୍କ ଦେହାବଶେଷ ମିଳିଛି । ହାଡ଼ ଓ ମେରୁଦଣ୍ଡଥ‌ିବା ଜୀବଜନ୍ତୁମାନେ ମରିଯିବାପରେ ସେମାନଙ୍କ ଦେହର ମାଂସ ଓ ଅନ୍ୟାନ୍ୟ ଅଂଶରେ ପାଣି ପଶି ପଚି ନଷ୍ଟ ହୋଇଯାଏ; ମାତ୍ର ମେରୁଦଣ୍ଡ, ଖପୁରି ତଥା ଅନ୍ୟାନ୍ୟ ଅଂଶର ହାଡ଼ରେ ଧାତୁ ଅଂଶ ଥିବାରୁ ତାହା ନଷ୍ଟ ନହୋଇ ପଥର ପାଲଟିଯାଏ । ସେଥ‌ିରେ ଥିବା ଧାତୁ ଅଂଶ ନଷ୍ଟ ହେବାପର୍ଯ୍ୟନ୍ତ ଏହି ଅଙ୍ଗ-ପ୍ରତ୍ୟଙ୍ଗଗୁଡ଼ିକ ନଷ୍ଟ ହୁଏ ନାହିଁ, ପଥର ପାଲଟି ରହିଯାଏ । ଏଥ‌ିରେ ଥ‌ିବା ଧାତୁ ଅଂଶ ନଷ୍ଟ ନ ହେବାପର୍ଯ୍ୟନ୍ତ ଏହି ଅଙ୍ଗ-ପ୍ରତ୍ୟଙ୍ଗଗୁଡ଼ିକ ରହିଥାଏ । କେତେକ ଫସିଲରେ ଜୀବଜନ୍ତୁଙ୍କର କୌଣସି ଅଙ୍ଗ ନାହିଁ । କେବଳ କୌଣସି କୌଣସି ଅଙ୍ଗର ଚିହ୍ନମାତ୍ର ରହିଛି । ମାତ୍ର ଶାମୁକା ବା ଶଙ୍ଖଭଳି ଜୀବମାନଙ୍କ ଉପରର କଠିନ ଖୋଳ ଓ ପୋହଳା ବା ସ୍ତନ୍ୟପାୟୀ ପ୍ରାଣୀଙ୍କର ହାଡ଼ ଅନେକ ସ୍ଥାନରେ ଅପରିବର୍ତ୍ତିତ ଅବସ୍ଥାରେ ରହିଯାଇଛି ।

Image

(ମାଛର ଗୋଟିଏ ‘ଫସିଲ’ ବା ପଥର ପାଲଟିଯାଇଥିବା ଅତି ପୁରାତନ ଯୁଗର ମାଛର ଦେହାବଶେଷ)

 

କେତେକ ସ୍ଥାନରେ ସମୁଦ୍ର ତଳକୁ ଖୋଳି ତା’ ଭିତରୁ ବହୁ ପୁରାତନ ଯୁଗର ସାମୁଦ୍ରିକ ଜୀବଜନ୍ତୁଙ୍କ ଦେହାବଶେଷ ବା ଫସିଲ ବାହାର କରାଯାଇଛି । ଏସବୁ ଜୀବଜନ୍ତୁ ସମୁଦ୍ର ତଳେ ମାଟି ଭିତରେ ରହି ରହି ପଥର ପାଲଟି ଯାଇଛି । ମାତ୍ର ବରଫାବୃତ ଯେଉଁ ଫସିଲ ବା ଦେହାବଶେଷ ମିଳିଛି ସେସବୁ ଅବିକଳ ସଂରକ୍ଷିତ ହୋଇଛି । ବରଫାବୃତ୍ତ ସ୍ଥାନମାନଙ୍କରେ ପ୍ରଚଣ୍ଡ ଥଣ୍ଡା ଭିତରେ ରହିଥିବା ଯୋଗୁ ଜୀବଜନ୍ତୁଙ୍କର ଶରୀରର ଅଙ୍ଗ ନଷ୍ଟ ନ ହୋଇ ରହିଛି । ଆଲାସ୍କା ଓ ସାଇବେରିଆରୁ ଏହିପରି ବହୁ ପ୍ରାଚୀନ କାଳର ବିରାଟ ଜୀବଜନ୍ତୁଙ୍କ ଶରୀରର ଅବଶେଷ ମିଳିଛି ଏବଂ ସେଗୁଡ଼ିକ ଜୀବନର ଇତିହାସ ଅଧ୍ୟୟନ ଓ ଗବେଷଣା କରିବାରେ ବିଶେଷ ସାହାଯ୍ୟ କରିଛି-। ଏଠାରୁ ମିଳିଥିବା ବହୁ ଜୀବଜନ୍ତୁଙ୍କ ଚମଡ଼ା, ବାଳ, ମାଂସ ଏମିତିକି ପାକସ୍ଥଳୀର ଅଂଶଗୁଡ଼ିକ ନଷ୍ଟ ନ ହୋଇ ରହିଛି । କେତେକ ସ୍ଥାନରେ ଗଛର ଗଣ୍ଡିତଳେ ବହୁ ପୁରାତନ କାଳର ପୋକଜୋକ, ଫୁଲ ଓ ପତ୍ର ସଂରକ୍ଷିତ ହୋଇ ରହିଯାଇଛି । ଗଛର ଗଣ୍ଡିଗୁଡ଼ିକ କାଳକ୍ରମେ ଅତ୍ୟନ୍ତ ଟାଣ ହୋଇଯିବା ପରେ ଏଥିରୁ ଅଠାଳିଆ ପଦାର୍ଥ ବାହାରି ଏହା ତଳେ ରହିଯାଇଥିବା ପୋକଜୋକ ବା ପତ୍ରଗୁଡ଼ିକୁ ନଷ୍ଟ ନ କରି ସଂରକ୍ଷିତ କରିଥାଏ ।

 

ଜୀବଜନ୍ତୁଙ୍କର ଏହିସବୁ ପଥର ପାଲଟିଯାଇଥିବା ଦେହାବଶେଷଗୁଡ଼ିକ ଜୀବନର ଇତିହାସର କ୍ରମ ବିକାଶ ପାଇଁ ତଥ୍ୟ ଯୋଗାଇବା ସଙ୍ଗେ ସଙ୍ଗେ ଏହିସବୁ ଅତି ପୁରାତନ ଯୁଗର ଗଛପତ୍ର ଓ ଜୀବଜନ୍ତୁମାନେ ରହିଥ‌ିବା ସ୍ଥାନ, ସେମାନଙ୍କ ଖାଦ୍ୟ ଏବଂ ସେତେବେଳର ପୃଥ‌ିବୀର ଭୌଗୋଳିକ ଅବସ୍ଥା ସମ୍ବନ୍ଧରେ ତଥ୍ୟ ଯୋଗାଇଥାନ୍ତି । ପଥର ପାଲଟି ଯାଇଥିବା ଯେଉଁସବୁ ଜୀବଜନ୍ତୁ ସମୁଦ୍ରତଳୁ ମିଳିଛନ୍ତି ସେଗୁଡ଼ିକୁ ଅଧ୍ୟୟନ କରାଯାଇ ସେଥିରୁ ସମୁଦ୍ରର ନିମ୍ନଭାଗରେ ଥ‌ିବା ପଥର ଓ ମାଟି, ସମୁଦ୍ରର ଗଭୀରତା, ଲବଣାଂଶର ପରିମାଣ ଓ ସମୁଦ୍ରଢେଉର ପ୍ରତିକ୍ରିୟା ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିବା ସମ୍ଭବ ହୋଇଛି ।

 

ଜୀବନ ଇତିହାସର ପ୍ରଥମ ଅଧ୍ୟାୟ

 

ପୃଥ‌ିବୀ ଉପରେ ବର୍ଷା ହେବାପରେ ବୈପ୍ଳବିକ ପରିବର୍ତ୍ତନ ଘଟିଲା । ସେତେବେଳକୁ ପୃଥ‌ିବୀପୃଷ୍ଠରେ ମାଟି ନ ଥିଲା, ନରମ ପ୍ରସ୍ତରଦ୍ଵାରା ପୃଥ‌ିବୀ ପୃଷ୍ଠଭାଗ ଗଠିତ ହୋଇଥିଲା ଏବଂ ବର୍ଷା ହେଲା ବେଳକୁ ମଧ୍ୟ ପୃଥ‌ିବୀପୃଷ୍ଠ ଉତ୍ତପ୍ତ ଥିଲା, ତେଣୁ ବର୍ଷାଯୋଗୁ ଏହି ଜଳରାଶି ମଧ୍ୟ ଉତ୍ତପ୍ତ ହୋଇ ରହିଲା । ଏହିପରି ବହୁକାଳ ଅତୀତ ହେବାପରେ ପୃଥ‌ିବୀର ଉପର ଭାଗ ଯଥେଷ୍ଟ ଥଣ୍ଡା ହୋଇଗଲା । ଏହି ଜଳରାଶି ଜୀବନ୍ତ ପାଣି ବଞ୍ଚିବା ଉପଯୋଗୀ ହେଲା । ସେତେବେଳ ପର୍ଯ୍ୟନ୍ତ ପୃଥ‌ିବୀ ମାତା ତା’ କୋଳରେ ଗୋଟିଏ ସନ୍ତାନ ଧାରଣ କରିବା ପାଇଁ ବ୍ୟାକୁଳ ହୋଇ ଚାହିଁ ରହିଥାଏ । ତେଣୁ ପ୍ରକୃତି ଗୋଟିଏ ଜୀବନ୍ତ ପ୍ରାଣୀ ପଠାଇବାପାଇଁ ପ୍ରସ୍ତୁତ ହେଲା । କିନ୍ତୁ ସେ କ’ଣ ସହଜ କଥା । ସେଥିପାଇଁ କେତେ କଠିନ ଓ ଜଟିଳ ପ୍ରସ୍ତୁତି ଦରକାର । ଜୀବନ ଥର ଥର ହୋଇ ଆସିନାହିଁ । ଏହା ଥରେ ମାତ୍ର ଆସିଛି ଏବଂ ସେହି ଗୋଟିକରୁ କୋଟିଏ ହୋଇଛି ।

 

ପୃଥ‌ିବୀ ପ୍ରଥମେ ଥଣ୍ଡା ହୋଇଯିବାରୁ ପୃଥିବୀର ଗ୍ୟାସ ବା ବାଷ୍ପ ଘନୀଭୂତ ହୋଇ ପୃଥ‌ିବୀ ତଳକୁ ଚାଲିଯାଇ ସ୍ତର ସ୍ତର ହୋଇ ବିଭିନ୍ନ ପ୍ରସ୍ତର ଆକାରରେ ରହିଯାଇଥିଲା । ତା’ ଭିତରେ ରହିଯାଇଥିଲା ପୃଥ‌ିବୀର ବାୟୁମଣ୍ଡଳରେ ଥ‌ିବା ବହୁ ବାଷ୍ପୀୟ ଉପାଦାନ । ଏହି ବାଷ୍ପୀୟ ଉପାଦାନରୁ ଜୀବନ ତିଆରି ପଦାର୍ଥ ମିଳିଥିଲା । ପୃଥ‌ିବୀର ନିମ୍ନଭାଗ ଉତ୍ତପ୍ତ ହୋଇ ସେଠାରେ ଘନୀଭୂତ ହୋଇ ରହିଥ‌ିବା ଧାତବ ପଦାର୍ଥର ସ୍ରୋତ ଆଗ୍ନେୟଗିରି ବାଟେ ଉପରକୁ ଉଠିଆସିଲା । ତା’ ସାଙ୍ଗରେ ସେହି ସବୁ ବାଷ୍ପୀୟ ପଦାର୍ଥ ଉଠି ଆସି ପୃଥ‌ିବୀର ଉପର ବାୟୁମଣ୍ଡଳରେ ରହିଗଲା-। ଯେଉଁସବୁ ବାଷ୍ପୀୟ ପଦାର୍ଥ ଆଗ୍ନେୟଗିରି ବାଟେ ତଥା ଅନ୍ୟବାଟେ ପୃଥ‌ିବୀର ବାୟୁମଣ୍ଡଳକୁ ଚାଲିଆସିଥିଲା ତା’ ଭିତରେ ଥିଲା ଜୀବନ ତିଆରି ଉପାଦାନ–ମିଥେନ୍‌, ଆମୋନିଆ, ଉଦ୍‌ଯାନ ଓ ଜଳୀୟବାଷ୍ପ ପ୍ରଭୃତି । ଏହିସବୁ ଜୀବନ ତିଆରି ଉପାଦାନ ପୃଥ‌ିବୀର ବାୟୁମଣ୍ଡଳରେ ଲକ୍ଷ ଲକ୍ଷ ବର୍ଷ ରହି ସେଗୁଡ଼ିକର ରାସାୟନିକ ମିଶ୍ରଣ ହେଲା ଏବଂ ମେଘ ସହିତ ଯେଉଁ ବିଦ୍ୟୁତ୍‌ ଶକ୍ତି ଆସିଥାଏ ତା’ର ସଂଯୋଗ ହୋଇ ଏକ ଅଭିନବ ପଦାର୍ଥ ସୃଷ୍ଟି ହେଲା ଓ ତାହା ଜଳ ଉପରେ ଯାଇ ପଡ଼ିଲା । ସେତେବେଳେ ସବୁଆଡ଼େ ଜଳରାଶି । ତେଣୁ ଜଳ ଭିତରେ ଜୀବନ ସୃଷ୍ଟି ହେବା ସ୍ଵାଭାବିକ ।

Image

(ଜୀବନର ସର୍ବପ୍ରଥମ ରୂପ)

 

ଏହି ରାସାୟନିକ ମିଶ୍ରଣ ଓ ବିଦ୍ୟୁତ୍‌ ସଂଯୋଗ ସାହାଯ୍ୟରେ ଯେଉଁ ମୌଳିକ ପଦାର୍ଥଟି ସୃଷ୍ଟି ହେଲା ବୈଜ୍ଞାନିକମାନେ ତାର ନାମ ଦେଲେ–ପ୍ରୋଟୋପ୍ଲାଜମ୍‌ । ଓଡ଼ିଆରେ ଏହାକୁ ପ୍ରାଣ ପଦାର୍ଥ ବା ଜୀବନ ପଦାର୍ଥ ବୋଲି କୁହାଯାଇପାରେ । ସେତେବେଳକୁ ପୃଥ‌ିବୀପୃଷ୍ଠର ଜଳରାଶି ସାମାନ୍ୟ ଗରମ ଥାଏ । ସେହି ଜଳରାଶି ଭିତରେ ଜୀବନ ତିଆରି ପଦାର୍ଥ ପ୍ରୋଟୋପ୍ଲାଜମ୍‌ କୋଟି କୋଟି ବର୍ଷ ରହିବା ପରେ ସେଥିରୁ ଜୀବନ୍ତ ପ୍ରାଣୀ ତିଆରି ହେଲା । ସମୁଦ୍ର ଜଳ ଅଧିକ ଥଣ୍ଡା ହୋଇଯିବା ପରେ ଓ ଅମ୍ଳଜାନ ପରିମାଣ ବାୟୁମଣ୍ଡଳରେ ବୃଦ୍ଧି ପାଇବା ପରେ ଜୀବନ୍ତ ପ୍ରାଣୀ ବଞ୍ଚିବା ଓ ବଢ଼ିବାପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେଲା । ଜୀବନ ତିଆରି ପଦାର୍ଥର ମିଶ୍ରଣରେ ଗଠିତ ‘ପ୍ରୋଟୋପ୍ଲାଜମ୍‌’ ସୃଷ୍ଟି ହେବା ପରେ ଜୀବନ ଇତିହାସର ପ୍ରଥମ ଅଧ୍ୟାୟ ଆରମ୍ଭ ହେଲା ।

 

ପୃଥ‌ିବୀର ପ୍ରଥମ ଜୀବ କେମିତି ଥିଲା ?

 

ଜୀବନ ତିଆରି ଉପାଦାନ ଓ ବିଦ୍ୟୁତଶକ୍ତି ସଂଯୋଗରେ ଯେଉଁ ଜୀବନ୍ତ ପ୍ରାଣୀଟି ସୃଷ୍ଟି ହୋଇଥିଲା ବୈଜ୍ଞାନିକମାନେ ତା’ର ନାମ ଦେଲେ ‘ଆମିବା’ । ଏହା ଥିଲା ଗୋଟିଏ ଏକକୋଷୀ ଜୀବ । ଏହି ଜୀବଟି ନିଜ ଇଚ୍ଛା ଅନୁସାରେ ନିଜ ଦେହକୁ ବଢ଼ାଇ ଦେଇ ପାରୁଥିଲା କେତେବେଳେ ଲମ୍ବା, କେତେବେଳେ ଗୋଲ, କେତେବେଳେ ଚେପ୍‌ଟା, ଆଉ କେତେବେଳେ ଅଷ୍ଟବକ୍ର ଭଳି ହୋଇଯାଉଥିଲା । ନିଜର ଅସ୍ତିତ୍ତ୍ଵ ରକ୍ଷାପାଇଁ ଏଇ ପ୍ରଥମ ଜୀବ ମୁଖ୍ୟତଃ ଚାରୋଟି କାମ କରୁଥିଲା । ପ୍ରଥମତଃ ଏହା ନିଜ ଜୀବନ ରକ୍ଷାପାଇଁ ଖାଦ୍ୟ ପଦାର୍ଥ ଯୋଗାଡ଼ କରୁଥିଲା । ପାଖରେ ଜୀବାଣୁ ଆଦି ଦେଖିବା ସଙ୍ଗେ ସଙ୍ଗେ ନିଜ ଦେହରୁ ହାତ ବାହାର କରି ତାକୁ ଟାଣିଆଣି ଖାଇଦେଉଥିଲା । ସମୟ ସମୟରେ ସେ ମଧ୍ୟ ଉଦ୍ଭିଦ ବା ଗଛଲତା ପରି ସୂର୍ଯ୍ୟାଲୋକ ବା ବାୟୁରୁ ତା’ର ଖାଦ୍ୟ ପଦାର୍ଥ ଯୋଗାଡ଼ କରୁଥିଲା । ଏହି ଜୀବର ହାତ, ଗୋଡ଼, ମୁଣ୍ଡ, କାନ ବା ନାକ ନଥିଲା ବା କୌଣସି କଠିନ ଅଙ୍ଗ ନଥିଲା । ଏହାର ଶରୀର ଥିଲା ଜେଲି ଭଳିଆ ଥଲ ଥଲିଆ, ପ୍ରଥମ ଜୀବର ଦ୍ଵିତୀୟ କାର୍ଯ୍ୟଥିଲା ଖାଦ୍ୟ ପଦାର୍ଥକୁ ହଜମ କରିବା ଏହାର ସାର ଜିନିଷରେ ନିଜ ଶରୀରକୁ ପୃଷ୍ଟ କରିବା ଓ ଅସାର ପଦାର୍ଥକୁ ବାହାର କରିଦେବା । ଏହାର ତୃତୀୟ କାର୍ଯ୍ୟ ଥିଲା ବାହାର ଆକ୍ରମଣରୁ ନିଜକୁ ରକ୍ଷା କରିବା ଏବଂ ଚତୁର୍ଥ କାର୍ଯ୍ୟ ଥିଲା ସର୍ବାପେକ୍ଷା ଗୁରୁତ୍ଵପୂର୍ଣ୍ଣ–ଏହା ହେଲା ନିଜପରି ଆଉ ଗୋଟିଏ ଜୀବ ଜନ୍ମକରିଦେବା ।

 

ପୃଥ‌ିବୀର ପ୍ରଥମ ଜୀବ ଅଦ୍ଭୁତ ଉପାୟରେ ଆଉ ଗୋଟିଏ ପ୍ରାଣୀ ଜନ୍ମ କରିଦେଉଥିଲା-। ଆଉ ଗୋଟିଏ ଜନ୍ମ କରିବା ପୂର୍ବରୁ ସେ ଜୀବର ଶରୀରର ମଝି ଅଂଶ ସରୁ ହୋଇ ଦୁଇଭାଗ ହୋଇଯାଏ । ଏହି ଦୁଇଭାଗର ପ୍ରତ୍ୟେକ ଭାଗଟି ଠିକ୍‌ ଏକାପରି । ମୂଳ ବା ପ୍ରଥମ ଭାଗଟିର ଯେପରି ନିଉକ୍ଲିୟସ୍‌ ବା ହୃତ୍‌ପିଣ୍ଡ ଏବଂ ଅନ୍ୟାନ୍ୟ ଅଙ୍ଗ ଥାଏ, ଅନ୍ୟ ଭାଗଟିରେ ଠିକ୍‌ ସେହିପରି ଥାଏ । ଜୀବନ୍ତ ପ୍ରାଣୀଙ୍କର ଅଂଶବୃଦ୍ଧି କରିବାପାଇଁ ପ୍ରକୃତି ଏହିଭଳି ଅଭିନବ ଉପାୟ ପ୍ରଥମେ ଅନୁସରଣ କରିଥିଲା ।

 

Image

ପ୍ରଥମ ଜୀବନ୍ତ ପ୍ରାଣୀ ଆମିବା–

 

୧.

ଏହି ପ୍ରାଣୀ ଭିତରେ ଥିବା ପାଦ ଦେହଭିତରେ ଲୁକ୍‍କାୟିତ

୧.

ପ୍ରଥମ ଜୀବନ୍ତ ପ୍ରାଣୀ ଏକ କୋଷ ଜୀବନ ପ୍ରଥମ ଅବସ୍ଥା

୨.

ଜୀବନ-ତିଆରି ପଦାର୍ଥ ପ୍ରୋଟୋପ୍ଲାଜମ

୨.

ଜୀବର ମଧ୍ୟଭାଗ ସରୁ ହୋଇଯାଏ

୩.

ନିଉକ୍ଲିୟସ ବା ହୃତ୍‌ପିଣ୍ଡ

୩.

ଶେଷରେ ଗୋଟିଏ ଭାଗ ଅଲଗା ହୋଇ ଆଉ ଏକ ପ୍ରାଣୀ ହୁଏ ।

୪.

କୋଷର ଖୋଳ ବା ଆବରଣ ।

 

 

 

ମାତ୍ର ଏହି ଜୀବକୁ ପୃଥ‌ିବୀର ପ୍ରଥମ ଜୀବ ବୋଲି କୁହାଯାଇନପାରେ । ଏହା ସର୍ବପ୍ରଥମ ଜୀବ ବା ପ୍ରାଣୀଙ୍କର ବଂଶଧର ବୋଲି କହିବା ଯଥାର୍ଥ ହେବ । ପୃଥ‌ିବୀର ସର୍ବପ୍ରଥମ ପ୍ରାଣୀ ବା ଜୀବ ୩୦୦ କୋଟି ବର୍ଷ ପୂର୍ବେ ଜନ୍ମ ହୋଇଥିଲା ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି, ମାତ୍ର ସେ ସମୟର ଜୀବଙ୍କର କୌଣସି ଦେହାବଶେଷ ମିଳିନାହିଁ । ଖୁବ୍‌ ବେଶି ହେଲେ ୬୦ କୋଟି ବର୍ଷ ତଳର ଜୀବ ବା ପ୍ରାଣୀଙ୍କର ଦେହାବଶେଷ ମିଳିଛି । ଇଂରେଜୀରେ ୟଡ଼ି ଦେହାବଶେଷକୁ କୁହାଯାଉଛି–ଫସିଲ । ସେତେବେଳକୁ ଜୀବନ୍ତ ପ୍ରାଣୀଙ୍କର ଜୀବନ ଜଟିଳ ହୋଇଯାଇଥିଲା । ସର୍ବପ୍ରଥମ ଜୀବ ଥିଲା ଅତି ସରଳ । ୬୦ କୋଟି ବର୍ଷ ତଳର ଜୀବଜନ୍ତୁଙ୍କ ଶରୀର ଗଠନ, ଖାଦ୍ୟପଦାର୍ଥ ଓ ଗତିବିଧି ସମ୍ବନ୍ଧରେ ଯେଉଁସବୁ ତଥ୍ୟ ମିଳିଛି ତାହାହିଁ ଜୀବ ବିଜ୍ଞାନୀମାନେ ଲିପିବଦ୍ଧ କରିଛନ୍ତି । ପ୍ରକୃତି ଏହିପରି ଏକକୋଷୀ ଜୀବନ୍ତ ପ୍ରାଣୀଟିଏ ନେଇ ପରୀକ୍ଷା ଆରମ୍ଭ କଲା । କୋଟି କୋଟି ବର୍ଷଧରି ପରୀକ୍ଷା ଚଳେଇ ଜୀବ ବା ପ୍ରାଣୀର କିପରି ସହଜରେ ବଂଶବୃଦ୍ଧି ହୋଇପାରିବ, ଶତ୍ରୁ ଆକ୍ରମଣରୁ ସେହି ଜୀବ କିପରି ନିଜକୁ ରକ୍ଷା କରି ନିରାପଦରେ ରହିବ ଏବଂ ତାକୁ ଖାଦ୍ୟ ମିଳିବ ସେହି ଉଦ୍ଦେଶ୍ୟରେ ପ୍ରାଣୀର ଅଙ୍ଗପ୍ରତ୍ୟଙ୍ଗ ଗଠନ, ଚାଲିଚଳନ, ଆକାର ପ୍ରକାରକୁ ପରିବର୍ତ୍ତନ କରି ଶେଷରେ ମଣିଷଟିଏ ଗଢ଼ିଲା ।

 

ଜୀବନ ଇତିହାସର ପ୍ରଥମ ରଚୟିତା କିଏ ?

 

ଜୀବଜନ୍ତୁ ଓ ଗଛପତ୍ରଗୁଡ଼ିକର ଫସିଲ ବା ଦେହାବଶେଷ ଜୀବନର ଇତିହାସ ଅଧ୍ୟୟନପାଇଁ ତଥ୍ୟ ଯୋଗାଇ ଦେଇଥିଲା ତଥା ମାନବ ଇତିହାସର ଅତି ପୁରାତନ ଯୁଗରେ ଜୀବଜନ୍ତୁମାନେ କେଉଁଠି ରହୁଥିଲେ, କ’ଣ ଖାଉଥିଲେ ଓ ସେତେବେଳର ପୃଥ‌ିବୀର ଭୌଗୋଳିକ ଅବସ୍ଥା ସମ୍ବନ୍ଧରେ ବହୁ ତଥ୍ୟ ଯୋଗାଇ ଦେଉଥିଲେ । ପୃଥ‌ିବୀର ବିଭିନ୍ନ ଦେଶରେ ପ୍ରାକୃତିକ ବିଜ୍ଞାନୀମାନେ ଜୀବଜନ୍ତୁଙ୍କ ଫସିଲ ବା ପଥର ପାଲିଟି ଯାଇଥବା ପ୍ରାଣୀଙ୍କ ଦେହାବଶେଷକୁ ଅଧ୍ୟୟନ ଓ ଗବେଷଣା କରି ଜୀବନ୍ତ ପ୍ରାଣୀଙ୍କ କ୍ରମ ବିକାଶର ଇତିହାସ ରଚନା କଲେ ।

 

ଜୀବନ ଇତିହାସର ପ୍ରଥମ ରଚୟିତା ଥିଲେ ପ୍ରାକୃତିକ ବିଜ୍ଞାନୀ ଡାରଉଇନ୍‌ । ସେ ଇଂଲଣ୍ଡର ଜଣେ ଚିକିତ୍ସକଙ୍କ ପୁତ୍ର । ପୁଅକୁ ଚିକିତ୍ସା ବିଦ୍ୟା ଅଧ୍ୟୟନ କରିବାପାଇଁ ସେ ପରାମର୍ଶ ଦେଇଥିଲେ, ମାତ୍ର ସେ ସେଥ‌ିରେ ରାଜି ନ ହୋଇ କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନ ଅଧ୍ୟୟନ କଲେ । ସେହି ସମୟରେ ଉଦ୍ଭିଦ ବିଜ୍ଞାନର ଅଧ୍ୟାପକ ହେନ୍‌ସ୍ଲୋଙ୍କ ସହିତ ତାଙ୍କର ଘନିଷ୍ଠତା ହେଲା । ତାଙ୍କ ସହାୟତାରେ ଡାରଉଇନ ପ୍ରାକୃତିକ ବିଜ୍ଞାନ ଅଧ୍ୟୟନପାଇଁ ବିଭିନ୍ନ ଦେଶକୁ ଯାତ୍ରା କରୁଥିବା ବିପଲ ଜାହାଜରେ ସେ ପାଞ୍ଚ ବର୍ଷ ବହୁ ଦେଶ ଭ୍ରମଣ କଲେ । ସେତେବେଳେ ସେ ବିଭିନ୍ନ ଦେଶର ଉଦ୍ଭିଦ ଓ ଜୀବଜନ୍ତୁଙ୍କ ବିଷୟରେ ଅଧ୍ୟୟନ କରିବାପାଇଁ ସୁବିଧା ପାଇଲେ । ସେ ଲକ୍ଷ୍ୟ କଲେ ଯେ ଇଂଲଣ୍ଡରେ ସେ ଯେଉଁ ପଶୁପକ୍ଷୀ ଓ ଉଦ୍ଭିଦ ଦେଖିଥିଲେ, ସେହି ଉଦ୍ଭିଦ ଓ ପଶୁପକ୍ଷୀଙ୍କ ଆକାର, ପ୍ରକାର, ଚାଲିଚଳଣ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପ୍ରକାର । ପ୍ରତ୍ୟେକ ଜୀବଜନ୍ତୁ ଓ ଉଦ୍ଭିଦ ଠିକ୍‌ ତାଙ୍କ ପୂର୍ବପୁରୁଷଙ୍କ ଅବିକଳ ପ୍ରତିରୂପ ନୁହନ୍ତି । ସେମାନଙ୍କ ଆକାର ପ୍ରକାର କ୍ରମଶଃ ପରିବର୍ତ୍ତନ ଘଟିବାରେ ଲାଗିଛି । ସେ ସିଦ୍ଧାନ୍ତରେ ଉପନୀତ ହେଲେ ଯେ ବଂଶବୃଦ୍ଧି ସଙ୍ଗେ ସଙ୍ଗେ ଜୀବନ୍ତ ପ୍ରାଣୀମାନେ ଖାଦ୍ୟ ଓ ବାସସ୍ଥାନପାଇଁ ପରସ୍ପର ସହିତ ପ୍ରତିଯୋଗିତା କରନ୍ତି, ଜଳବାୟୁ ପରିବର୍ତ୍ତନର ପ୍ରଭାବ ମଧ୍ୟ ସେମାନଙ୍କ ଉପରେ ପଡ଼େ । ଏହାକୁ ଜୀବନ ସଂଗ୍ରାମ ବୋଲି ସେ କହୁଥିଲେ । ଏହି ସଂଗ୍ରାମ ନିଜ ଗୋଷ୍ଠୀ ଭିତରେ ହୋଇପାରେ, ବିଭିନ୍ନ ଗୋଷ୍ଠୀ ଭିତରେ ହୋଇପାରେ ବା ପ୍ରାକୃତିକ ପରିବେଶ ବିରୁଦ୍ଧରେ ହୋଇପାରେ । ଏହି ସଂଗ୍ରାମ ଭିତରେ ଯେଉଁମାନେ ସବଳ ହୁଅନ୍ତି ବା ନିଜକୁ ସଫଳତାର ସହିତ ଖାପ ଖୁଆଇ ନିଅନ୍ତି ସେମାନେ ତିଷ୍ଠି ରହନ୍ତି ଓ ସେମାନଙ୍କ ବଂଶବୃଦ୍ଧି ହୋଇଥାଏ । ଅନ୍ୟମାନଙ୍କ ସଂଖ୍ୟା ହ୍ରାସ ପାଏ । ତାଙ୍କର ଏହି ମତକୁ ପରେ ସମଗ୍ର ବିଶ୍ଵର ବୈଜ୍ଞାନିକମାନେ ଗ୍ରହଣ କରି ନେଇଥିଲେ ।

Image

(ଜୀବନର ଇତିହାସର ପ୍ରଥମ ରଚୟିତା-ଚାଲିସି ଡାରଉଇନ୍‍)

☆☆☆

 

ପୃଥ‌ିବୀର ପିଲାଦିନ କେମିତି ଥିଲା ?

 

ପିଲାମାନେ ପଚାରି ପାରନ୍ତି ପୃଥ‌ିବୀର ପିଲାଦିନ କ’ଣ ? ମନୁଷ୍ୟର ପିଲାଦିନ ଅଛି । ପଶୁପକ୍ଷୀମାନଙ୍କର ପିଲାଦିନ ଅଛି । ଜଣକୁ ଯଦି ୬୦ ବର୍ଷ ହୋଇଥାଏ ତା’ହାଲେ ୫୦ ବର୍ଷ ତଳେ ତା’ର ଥିଲା ପିଲାଦିନ । ଜନ୍ମ ହେବାର ଅଳ୍ପ କେତେକ ବର୍ଷ ଭିତରେ ମନୁଷ୍ୟ ଯେଉଁ ଅବସ୍ଥାରେ ଥାଏ ଅର୍ଥାତ୍‌ ଜୀବନର ପ୍ରଥମାବସ୍ଥାକୁ ପିଲାଦିନ ବୋଲି କୁହାଯାଇଥାଏ । ମନୁଷ୍ୟ ଏବଂ ପଶୁପକ୍ଷୀଙ୍କ ପିଲାଦିନ ଜାଣିବା କଷ୍ଟକର ନୁହେଁ; ମାତ୍ର ପୃଥ‌ିବୀର ପିଲାଦିନ ବା ପ୍ରଥମାବସ୍ଥା ଜାଣିବା ସହଜ ହୋଇନଥିଲା । ଆମେ ଯେଉଁ ପୃଥ‌ିବୀ ଉପରେ ବସବାସ କରି ରହିଛେ ଏବଂ ବହୁ ଅତୀତ କାଳରୁ ଆମ ପୂର୍ବପୁରୁଷମାନେ ମଧ୍ୟ ରହିଆସିଛନ୍ତି ସେହି ପୃଥ‌ିବୀର ସୃଷ୍ଟି ବା ଗଠନ ବିଷୟରେ କୌଣସି ଲିପିବଦ୍ଧ ବିବରଣୀ ନ ଥିବାରୁ ଏ ବିଷୟରେ ପୁରାଣମାନଙ୍କରେ ନାନା କାଳ୍ପନିକ କାହାଣୀ ଓ କିମ୍ବଦନ୍ତୀମାନ ରଚନା କରାଯାଇଥିଲା । ମାତ୍ର ବୈଜ୍ଞାନିକ ଯନ୍ତ୍ରପାତିମାନ ଉଦ୍ଭାବିତ ହେବାପରେ ବୈଜ୍ଞାନିକମାନେ ଦୀର୍ଘକାଳ ଧରି ଅଧ୍ୟୟନ, ଗବେଷଣା ଓ ପର୍ଯ୍ୟବେକ୍ଷଣ କରି ପୃଥ‌ିବୀର ବୟସ ଅର୍ଥାତ୍‌ ପୃଥ‌ିବୀ କେବେ ସୃଷ୍ଟି ବା ଗଠିତ ହେଲା ଏବଂ କିପରି ବିକାଶ ଲାଭ କଲା ସେ ସମ୍ବନ୍ଧରେ ସଠିକ୍‍ ତଥ୍ୟ ଲିପିବଦ୍ଧ କରିଛନ୍ତି ଏବଂ ଏ ବିଷୟରେ ଅଧିକ ଗବେଷଣା ଚାଲିଛି ।

 

ବୈଜ୍ଞାନିକମାନେ ମୋଟାମୋଟି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ଯେ ପୃଥ‌ିବୀ ଆଜିକୁ ୪୬୦ କୋଟି ବର୍ଷ ତଳେ ସୃଷ୍ଟି ହୋଇଥିଲା । ସୂର୍ଯ୍ୟ ଚାରିପଟେ ଯେଉଁ ୯ଟି ଗ୍ରହ ବୁଲୁଛନ୍ତି, ପୃଥ‌ିବୀ ସେଥି ଭିତରୁ ଗୋଟିଏ ଗ୍ରହ ସୌରମଣ୍ଡଳ ବା ସୂର୍ଯ୍ୟଙ୍କ ପରିବାର ଭିତରେ ପୃଥ‌ିବୀ ରହିଛି । ନିଜ କକ୍ଷରେ ସୂର୍ଯ୍ୟଙ୍କ ଚାରିପଟେ ବୁଲୁଛି ଏବଂ ଅନ୍ୟ ଗ୍ରହମାନଙ୍କ ପରି ସୂର୍ଯ୍ୟଙ୍କଠାରୁ ଆଲୋକ ପାଉଛି । ଅନ୍ୟାନ୍ୟ ଗ୍ରହଙ୍କ ପରି ପୃଥ‌ିବୀ କେତେଗୁଡ଼ିଏ ଗ୍ୟାସ ବା ବାଷ୍ପକୁ ଘେନି ଗଠିତ ହୋଇଛି । ସୂର୍ଯ୍ୟଙ୍କଠାରେ ଯେଉଁସବୁ ବାଷ୍ପ ଅଛି ଊଣାଅଧିକେ ସେହିସବୁ ବାଷ୍ପଦ୍ଵାରା ଅନ୍ୟାନ୍ୟ ଗ୍ରହ ପରି ପୃଥ‌ିବୀ ମଧ୍ୟ ଗଠିତ ହୋଇଛି । ତେବେ ଅନ୍ୟାନ୍ୟ ଗ୍ରହଠାରୁ ପୃଥ‌ିବୀର ଗଠନ କ୍ଷେତ୍ରରେ ଏତିକି ତଫାତ୍‍ ଯେ ଏପରି କେତେକ ବାଷ୍ପ ଦ୍ଵାରା ଗଠିତ ହୋଇଥିଲା ଯେ ଅନ୍ୟାନ୍ୟ ଗ୍ରହ ଅପେକ୍ଷା କମ୍‍ ସମୟ ଭିତରେ ଏହା ଥଣ୍ଡା ହୋଇଗଲା ତେଣୁ ଏଠାରେ ଜୀବନ ସୃଷ୍ଟି ସମ୍ଭବ ହେଲା । ଅନ୍ୟାନ୍ୟ ଗ୍ରହମାନେ ପ୍ରଚଣ୍ଡ ଉତ୍ତପ୍ତ ବାଷ୍ପପିଣ୍ଡ ଆକାରରେ ଏବେ ମଧ୍ୟ ବୁଲୁଛନ୍ତି । ଅନ୍ୟ କୌଣସି ଗ୍ରହରେ ଜୀବନ ସୃଷ୍ଟି ସମ୍ଭବ ହୋଇନାହିଁ । କୌଣସି ଜିନିଷ ଥଣ୍ଡା ହୋଇଗଲେ ସେଥ‌ିରେ ଥ‌ିବା ଜୀବାଣୁ ସଙ୍କୁଚିତ ହୋଇଯାଆନ୍ତି ଏବଂ ଜମାଟ ବାନ୍ଧିଯାଏ । ଏହିପରି ପାଣିକୁ ଫ୍ରିଜ ଭିତରେ ରଖିଦେଲେ ତାହା ଥଣ୍ଡା ହୋଇଯାଇ ଜମାଟ ବାନ୍ଧି ବରଫ ପାଲଟିଯାଏ । ସେହିଭଳି ବୈଜ୍ଞାନିକ ନିୟମରେ ପୃଥ‌ିବୀ ଗ୍ରହର ବାଷ୍ପଗୁଡ଼ିକ ଥଣ୍ଡା ହୋଇ କୋଟି କୋଟି ବର୍ଷପରେ ତାହା ଜମାଟ ବାନ୍ଧି ପଥର ପାଲଟି ଯାଇଥିଲା । ଏହିସବୁ ପଥର ଭିତରେ ବିଭିନ୍ନ ପ୍ରକାର ଧାତବ ପଦାର୍ଥ ରହିଥିଲା । ଏଥି ଭିତରୁ ଯେଉଁସବୁ ପଥରରେ ଲୁହା ଓ ନିକେଲ ଭଳି ଧାତବ ପଦାର୍ଥ ଥିଲା ତାହା ଅନ୍ୟ ଧାତୁଠାରୁ ଅଧ‌ିକ ଭାରି । ତେଣୁ ଏହିଭଳି ପଥରସବୁ ଯାଇ ପୃଥ‌ିବୀର ମଧ୍ୟଭାଗରେ ଜମା ହେଲା । ପୃଥ‌ିବୀର ନିମ୍ନତମ ଭାଗକୁ କେନ୍ଦ୍ର ବା ମଧ୍ୟଭାଗ ବୋଲି କୁହାଯାଏ । କାରଣ ପୃଥ‌ିବୀର ଆକାର ଗୋଲ । କେନ୍ଦ୍ରଭାଗର ଉପରେ ରହିଲା ତା’ଠାରୁ କମ୍‌ ଓଜନର ପଥରସ୍ତର । ପୃଥ‌ିବୀର ସବା ଉପରେ ରହିଲା ଭୂପୃଷ୍ଠ । ଏଥ‌ିରେ ରହିଲା କମ୍‌ ଓଜନର ଗ୍ରାନାଇଟ୍‌ ପଥର । ପରେ ଭୂପୃଷ୍ଠ ବା ପୃଥ‌ିବୀର ଉପରି ଭାଗରେ ମାଟି ଜମା ହେଲା । କେନ୍ଦ୍ରଭାଗର ପ୍ରଚଣ୍ଡ ବାଷ୍ପ ସତ୍ତ୍ୱେ ଏଠାରେ ଥିବା ଲୁହା ଓ ନିକେଲ ଘନୀଭୂତ ଆକାରରେ ହିଁ ରହିଯାଇଛି ମାତ୍ର କେନ୍ଦ୍ରଭାଗରୁ ବାହ୍ୟ ଅଂଶରେ ଅଳ୍ପ ପରିମାଣ ଚାପରେ ଧାତବ ପଦାର୍ଥ ତରଳି ଯାଇଥାଏ ।

 

ପୃଥ‌ିବୀର ଏହି ଅବସ୍ଥାକୁ ପିଲାଦିନର କଥା ବୋଲି କୁହାଯାଇପାରେ । ପୃଥ‌ିବୀ ପ୍ରଚଣ୍ଡ ଉତ୍ତପ୍ତ ବାଷ୍ପ ଆକାରରେ କୋଟି କୋଟି ବର୍ଷ ବୁଲିବା ପରେ ଏହିଭଳି ପରିବର୍ତ୍ତନ ଘଟିଥିଲା । ଏହା ଧର ୪୦୦ କୋଟି ବର୍ଷ ତଳର କଥା ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି । ସେହିଭଳି ଅବସ୍ଥାରେ ପ୍ରଚଣ୍ଡ ଉତ୍ତାପ ନଥିଲେ ମଧ୍ୟ ତଥାପି ଯଥେଷ୍ଟ ଥିଲା । ଏହିପରି ଅବସ୍ଥାରେ କୋଟି କୋଟି ବର୍ଷ ବୁଲିବା ପରେ ପୃଥିବୀ ଆହୁରି ଥଣ୍ଡା ହେଲା ଏବଂ ପୃଥିବୀ ଉପରେ ପ୍ରଥମ ବର୍ଷା ହେଲା । ବର୍ଷା ହେବା ପରେ ଯାଇ ପୃଥିବୀରେ ପରବର୍ତ୍ତୀ ପରିବର୍ତ୍ତନ ଘଟିଲା ।

☆☆☆

 

କମ୍ପ୍ୟୁଟର ଦ୍ଵିତୀୟ ମହାଯୁଦ୍ଧରେ ଇଂଲଣ୍ଡକୁ କିପରି ରକ୍ଷାକଲା ?

 

ଚୀନ ଓ ଫ୍ରାନ୍‌ସ ଦେଶରେ ସରଳଗଣନା ଓ ହିସାବ ଯନ୍ତ୍ରରୂପେ କମ୍ପ୍ୟୁଟର ପ୍ରଥମେ ବିକାଶ ଲାଭ କରିବାପରେ ଜର୍ମାନୀ, ଇଂଲଣ୍ଡ ଓ ଆମେରିକା ଯୁକ୍ତରାଷ୍ଟ୍ର ଦେଶରେ ଭିନ୍ନ ଭିନ୍ନ କାମରେ ନୂତନ ପ୍ରକାର ଯାନ୍ତ୍ରିକ କମ୍ପ୍ୟୁଟର ନିର୍ମାଣ କରିବା ପାଇଁ ବୈଜ୍ଞାନିକମାନେ ଗବେଷଣା କରିଥିଲେ । ୧୯୩୯ ଶେଷ ଭାଗରେ ଦ୍ଵିତୀୟ ମହାଯୁଦ୍ଧ ଆରମ୍ଭ ହୋଇଯିବା ପରେ ଏହି ଗବେଷଣା କାର୍ଯ୍ୟ ତ୍ୱରାନ୍ୱିତ ହେଲା । ସାମରିକ ଅଭିଯାନ କାର୍ଯ୍ୟରେ ଉପଯୋଗ ହେଲାଭଳି କମ୍ପ୍ୟୁଟରମାନ ନିର୍ମାଣ ପାଇଁ ଯୋଜନା କରାଗଲା ।

 

ଦ୍ଵିତୀୟ ମହାଯୁଦ୍ଧ ଚାଲିଥିଲା ବେଳେ ଏହିଭଳି କମ୍ପ୍ୟୁଟର ନିର୍ମାଣରେ ଜର୍ମାନୀର ବୈଜ୍ଞାନିକମାନେ ପ୍ରଥମେ ସଫଳତା ହାସଲ କରିଥିଲେ । ଜର୍ମାନୀର ଯୁଦ୍ଧବିମାନ ରାତି ଅଧରେ ଯାଇ ଲଣ୍ଡନ ସହର ଉପରେ ବୋମାବର୍ଷଣ କରି ଧ୍ଵଂସଲୀଳା ଲଗେଇ ଦେଇ ଚାଲି ଆସୁଥିଲେ । ଏହି ବୋମା ବର୍ଷଣ ଫଳରେ ଲଣ୍ଡନର ବହୁ କୋଠାବାଡ଼ି ତଥା ମୂଲ୍ୟବାନ ସମ୍ପତ୍ତି ନଷ୍ଟ ହୋଇଥିଲା-। ଏଥ‌ିପାଇଁ ସମଗ୍ର ଇଂଲଣ୍ଡ ଦେଶର ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଥିଲା । ଇଂଲଣ୍ଡର ସାମରିକ କର୍ତ୍ତୃପକ୍ଷ ଜାଣିପାରିଲେ ଯେ ଜର୍ମାନୀର ବୋମାବର୍ଷଣକାରୀ ବିମାନ ଆସି ଏକ ଗୁପ୍ତ ସଂକେତ ସାହାଯ୍ୟରେ ଲଣ୍ଡନ ଉପରେ ଅତର୍କିତ ଭାବରେ ବୋମାବର୍ଷଣ କରି ଚାଲିଯାଉଛନ୍ତି-। ଏକ ଉନ୍ନତ ଧରଣର କମ୍ପ୍ୟୁଟର ଦ୍ଵାରା ହିଁ ଜର୍ମାନୀର ଏହି ବୋମା ବର୍ଷଣକାରୀ ବିମାନର ସଂକେତ ଆଗରୁ ଜାଣି ହୋଇପାରିବ, ତେଣୁ ବ୍ରିଟିଶ ସରକାର ଏହିଭଳି କମ୍ପ୍ୟୁଟର ନିର୍ମାଣ କରିବା ପାଇଁ ତାଙ୍କ ଦେଶର ବୈଜ୍ଞାନିକମାନଙ୍କୁ ପରାମର୍ଶ ଦେଲେ । ଏହାପରେ ଦ୍ରୁତ ଗତିରେ ଏହିଭଳି କମ୍ପ୍ୟୁଟରର ନିର୍ମାଣ କାର୍ଯ୍ୟ ଇଂଲଣ୍ଡ ଦେଶରେ ଚାଲିଲା । ଏଥିରେ ଇଂଲଣ୍ଡର ଦୁଇଜଣ ବୈଜ୍ଞାନିକ ପ୍ରଥମେ ସଫଳ ହେଲେ । ସେମାନେ ହେଲେ ଅଧ୍ୟାପକ ନିଉମାନ ଓ ଅଧ୍ୟାପକ ପାୱାର-। ୧୯୪୩ ମସିହା ପ୍ରଥମ ଭାଗରେ ସେମାନେ ଏହିଭଳି ଏକ କମ୍ପ୍ୟୁଟର ନିର୍ମାଣ କଲେ, ଯାହାକି ଜର୍ମାନୀର ବୋମାବର୍ଷୀ ବିମାନ ଇଂଲଣ୍ଡରେ ଆସି ପହଞ୍ଚିବା ପୂର୍ବରୁ ସେମାନଙ୍କ ସାମରିକ ସଂକେତକୁ ଜାଣିବା ପାଇଁ ସକ୍ଷମ ହେଲେ ।

 

ଏହି ଉନ୍ନତ ଧରଣର କମ୍ପ୍ୟୁଟରର ନାମ ଦିଆଯାଇଥିଲା–‘କଲୋସସ’ । ଏହି କମ୍ପ୍ୟୁଟର ସାହାଯ୍ୟରେ ଜର୍ମାନୀର ବୋମାବର୍ଷଣକାରୀ ବିମାନ ଇଂଲଣ୍ଡରେ ଆସି ପହଞ୍ଚିବା ପୂର୍ବରୁ ଏହି ବିମାନର ସଂକେତ ପାଇଗଲେ । ତେଣୁ ଏହି ବିମାନ ଠିକ୍‌ କେଉଁ ଦିଗରୁ ଆସୁଛି, କେତେ ବେଗରେ ଆସୁଛି ତାହା ଜାଣିହେଲା । ସେତେବେଳେ ପବନର ଗତି ଓ ପୃଥ‌ିବୀର ଘୂର୍ଣ୍ଣନ ନିର୍ଦ୍ଧାରଣ କରିବା ସମ୍ଭବ ହେଲା । ତେଣୁ ଜର୍ମାନୀର ଏହି ବୋମାବର୍ଷୀ ବିମାନ ଲଣ୍ଡନରେ ଆସି ପହଞ୍ଚିବା ପୂର୍ବରୁ ଏହାକୁ ଗୁଳିକରି ଧ୍ଵଂସ କରି ଦିଆଗଲା । ସେତେବେଳେ ଏହିଭଳି କମ୍ପ୍ୟୁଟର ଉଦ୍ଭାବିତ ହୋଇନଥିଲେ ଇଂଲଣ୍ଡର ଅବସ୍ଥା କ’ଣ ହୋଇଥାଆନ୍ତା ସହଜରେ ଅନୁମାନ କରାଯାଇପାରେ । କେତେକ ବିଶିଷ୍ଟ ବୈଜ୍ଞାନିକଙ୍କ ମତରେ ଏହି କଲୋସିସ କମ୍ପ୍ୟୁଟର କେବଳ ଇଂଲଣ୍ଡକୁ ଯେ ରକ୍ଷାକଲା ତା’ ନୁହେଁ, ଏହା ଦ୍ୱିତୀୟ ମହାଯୁଦ୍ଧର ଗତିକୁ ପରିବର୍ତ୍ତନ କରିଦେଲା ।

 

ଦ୍ଵିତୀୟ ମହାଯୁଦ୍ଧପରେ ଜଣାପଡ଼ିଲା ଯେ ହିଟଲରଙ୍କ ଶାସିତ ଜର୍ମାନୀର ଜଣେ ଯୁବକ ଇଞ୍ଜିନିୟର କନ୍‌ଗୁଡ଼ ଜୁସେ ‘୨୧’ ସାଙ୍କେତିକ ନାମ ଦେଇ ଗୋଟିଏ ଯାନ୍ତ୍ରିକ କମ୍ପ୍ୟୁଟର ଛାଞ୍ଚ ତିଆରି କରିଥିଲେ । ଏହି କମ୍ପ୍ୟୁଟରର ଛାଞ୍ଚରେ ସେ ପ୍ରଥମେ କମ୍ପ୍ୟୁଟର ‘ବାଇନାରୀ’ ସଂଖ୍ୟା ବ୍ୟବହାର କରିଥିଲେ । ଏହା ହେଲା କମ୍ପ୍ୟୁଟରର ଭାଷା । ଏହା ସାହାଯ୍ୟରେ କମ୍ପ୍ୟୁଟର ଭିତରକୁ ତଥ୍ୟ ଯୋଗାଇ ଦିଆଯାଏ । ଏହି ବାଇନାରୀ ସଙ୍କେତଗୁଡ଼ିକୁ କମ୍ପ୍ୟୁଟର ଭିତରକୁ ଦେଇଦେବା ବା କମ୍ପ୍ୟୁଟର ଭାଷାରେ ଫିଡ କରିଦେବା ପାଇଁ କନ୍‌ଗୁଡ଼ ଜୁସେ ଗୋଟିଏ କି ବୋର୍ଡ଼ର ନକ୍‌ସା ମଧ୍ୟ ତିଆରି କରିଥିଲେ । କମ୍ପ୍ୟୁଟର ଭିତରେ ଦ୍ରୁତଗତିରେ କାର୍ଯ୍ୟ ପାଇଁ ଯାନ୍ତ୍ରିକ ସୁଇଚ ପରିବର୍ତ୍ତେ ସେ ବୈଦ୍ୟୁତିକ ଶକ୍ତି ବ୍ୟବହାର କରିଥିଲେ ଏବଂ କମ୍ପ୍ୟୁଟର ଭିତରକୁ ତଥ୍ୟ ଫିଡ଼ିଂ କରିବା ପାଇଁ ସେ ସର୍ବପ୍ରଥମେ ୩୫ ମିଲିମିଟର ଫିଲିମ୍‌ ବ୍ୟବହାର କରିଥିଲେ, ଶତ୍ରୁ ପକ୍ଷର ସାଙ୍କେତିକ ବାର୍ତ୍ତାକୁ ଆଗରୁ ଜାଣିପାରିବା ନିମନ୍ତେ କନ୍‌ଗୁଡ଼ ଜୁସେଙ୍କ ଏହି ଛାଞ୍ଚରେ କମ୍ପ୍ୟୁଟର ନିର୍ମାଣ ପ୍ରସ୍ତାବକୁ ସେତେବେଳେର ଜର୍ମାନୀର ଏକଛତ୍ର ଶାସକ ହିଟଲର ଗ୍ରହଣ କଲେ ନାହିଁ । ଯୁଦ୍ଧ ପରେ ଯାଇ ଏହା ଜଣାପଡ଼ିଥିଲା ।

☆☆☆

 

କମ୍ପ୍ୟୁଟର କିପରି ଡାକ୍ତରଙ୍କ କାମ କରୁଛି ?

 

କମ୍ପ୍ୟୁଟର ଭଳି ସର୍ବାଧୁନିକ ବୈଜ୍ଞାନିକ ଯନ୍ତ୍ର କିପରି କାର୍ଯ୍ୟ କରେ ସେ ସମ୍ବନ୍ଧରେ ଟିକିନିଖି ବିବରଣୀ ବୁଝିବା ଅତ୍ୟନ୍ତ କଷ୍ଟକର କାରଣ ଏହା ଏକ ଅତି ଜଟିଳ ଯନ୍ତ୍ର ମାତ୍ର ଯେଉଁ ମୌଳିକ ଧାରଣା ଉପରେ ଭିତ୍ତିକରି କମ୍ପ୍ୟୁଟର ନିର୍ମିତ ହୋଇଛି ଏବଂ ବିକାଶ ଲାଭ କରୁଛି ତାହା ବୁଝିବା କଠିନ ନୁହେଁ । ମନୁଷ୍ୟର ସର୍ବାପେକ୍ଷା ମୂଲ୍ୟବାନ ଅଙ୍ଗ ମସ୍ତିଷ୍କର କାର୍ଯ୍ୟ ସମ୍ବନ୍ଧରେ ସାଧାରଣ ଜ୍ଞାନ ଥିଲେ କମ୍ପ୍ୟୁଟର ବୁଝିବା କଷ୍ଟକର ହେବ ନାହିଁ । ମଣିଷର ମସ୍ତିଷ୍କର ଅନୁକରଣରେ ହିଁ କମ୍ପ୍ୟୁଟର ନିର୍ମିତ ହୋଇ କାର୍ଯ୍ୟ କରୁଛି । କେବଳ ସାଧାରଣ ମଣିଷ ନୁହେଁ ଡାକ୍ତର ଓ ଇଞ୍ଜିନିୟରଙ୍କ ଭଳି ବିଶେଷଜ୍ଞଙ୍କ କାମ ମଧ୍ୟ କମ୍ପ୍ୟୁଟର କରୁଛି ।

 

କମ୍ପ୍ୟୁଟର ଡାକ୍ତରଙ୍କ କାମ କେମିତି କରୁଛି ତାହା ଏଠାରେ ଉଲ୍ଲେଖ କରାଯାଇଛି । ଡାକ୍ତର ରୋଗୀଙ୍କୁ କେମିତି ଚିକିତ୍ସା କରନ୍ତି । ଡାକ୍ତରମାନେ ଛାତ୍ର ଅବସ୍ଥାରେ ମେଡ଼ିକାଲ ବିଦ୍ୟାଳୟରେ ଅଧ୍ୟୟନ କଲାବେଳେ ଡାକ୍ତରୀ ଶାସ୍ତ୍ରରେ ବିଭିନ୍ନ ରୋଗର କାରଣ ଓ ତା’ର ଚିକିତ୍ସା ସମ୍ବନ୍ଧରେ ବିସ୍ତୃତ ଭାବରେ ଜ୍ଞାନଲାଭ କରି ତାକୁ ମନେରଖିଥାନ୍ତି । ଅର୍ଥାତ୍‌ ସେସବୁ ତାଙ୍କ ମସ୍ତିଷ୍କର ସ୍ମୃତିରେ ଯାଇ ଗଚ୍ଛିତ ହୋଇ ରହିଥାଏ । ପଢ଼ୁଥିବା ବେଳେ ଓ ପଢ଼ା ଶେଷରେ ବାସ୍ତବ କ୍ଷେତ୍ରରେ କେତେକ ରୋଗୀଙ୍କୁ ଚିକିତ୍ସା କରିଥାନ୍ତି, ସେସବୁ ମଧ୍ୟ ତାଙ୍କ ସ୍ମୃତିରେ ରହିଥାଏ । ଗୋଟିଏ ରୋଗୀ ଯେତେବେଳେ ଡାକ୍ତରଙ୍କ ପାଖକୁ ଆସି ତାଙ୍କ ଆଗରେ ତା’ର ରୋଗର ଲକ୍ଷଣ କହେ ଡାକ୍ତର ତା’ଠାରୁ ଶୁଣି ତାଙ୍କ ସ୍ମୃତିରେ ସେ ସମ୍ବନ୍ଧରେ ଯେଉଁସବୁ ତଥ୍ୟ ଥାଏ ତାହା ସେ ମନେପକାନ୍ତି । ସେଥିଭିତରୁ ଯେଉଁସବୁ ରୋଗର ଲକ୍ଷଣ ଉକ୍ତ ରୋଗୀର ଲକ୍ଷଣ ସହିତ ମିଳିଯାଏ ସେହି ଲକ୍ଷଣ ପାଇଁ ଯେଉଁ ଚିକିତ୍ସା ବ୍ୟବସ୍ଥା ସେ ପଢ଼ିଥିବା ଡାକ୍ତରୀ ଶାସ୍ତ୍ରରେ ଥିଲା ବା ସେ ନିଜେ ଯେଉଁ ଚିକିତ୍ସା କରିଥିଲେ ତାକୁ ତୁଳନା କରି ସେଥିଭିତରୁ ଯେଉଁ ଚିକିତ୍ସା ବ୍ୟବସ୍ଥା ସହିତ ତାହା ମିଳିଯାଉଥିବ ସେହି ଚିକିତ୍ସା ପାଇଁ ସେ ରୋଗୀକୁ ପରାମର୍ଶ ଦିଅନ୍ତି । ରୋଗୀର ଲକ୍ଷଣସବୁ ଶୁଣିବା ପରେ ଡାକ୍ତର ତାଙ୍କ ସ୍ମୃତିରେ ଗଚ୍ଛିତ ରୋଗର ଲକ୍ଷଣ ଓ ତା’ର ଚିକିତ୍ସା ପଦ୍ଧତି ସମ୍ବନ୍ଧୀୟ ତଥ୍ୟ ବାଛିକରି ଆଣି ଉପସ୍ଥିତ ରୋଗୀର ଲକ୍ଷଣ ସହିତ ମିଳାଇ ଦେଇ ଚିକିତ୍ସା ବତେଇ ଦେବା କାର୍ଯ୍ୟ ଅତି ଅଳ୍ପ ସମୟ ଭିତରେ ହୋଇଯାଏ । କମ୍‌ ସମୟ ଭିତରେ ଏହା ହୋଇଯିବାରୁ ଏତେକାମ ହୋଇଗଲା ବୋଲି ଜଣାଯାଏ ନାହିଁ । ଏହାହିଁ ମନୁଷ୍ୟ ମସ୍ତିଷ୍କର ଅଦ୍ଭୁତ ଶକ୍ତି । ବର୍ତ୍ତମାନ ଡାକ୍ତରଙ୍କର ଏହି କାର୍ଯ୍ୟ କମ୍ପ୍ୟୁଟରରେ କରାଯାଉଛି । ବିଶେଷ ଭାବରେ ଆମେରିକା ଯୁକ୍ତରାଷ୍ଟ୍ର ଓ ଜାପାନ ପ୍ରଭୃତି ଦେଶରେ କମ୍ପ୍ୟୁଟର ସଫଳତାର ସହିତ ଚିକିତ୍ସା କାର୍ଯ୍ୟ କରୁଛି । ବଡ଼ ବଡ଼ ଡାକ୍ତରଖାନାମାନଙ୍କରେ କମ୍ପ୍ୟୁଟର ରଖାଯାଇଛି । ସେହି କମ୍ପ୍ୟୁଟରରେ ମସ୍ତିଷ୍କରେ ବିଭିନ୍ନ ପ୍ରକାର ବହୁ ରୋଗୀଙ୍କର ଲକ୍ଷଣ ଓ ସେହି ରୋଗର ସଫଳତା ସହିତ କରାଯାଇଥିବା ଚିକିତ୍ସା ସମ୍ବନ୍ଧୀୟ ବିବରଣୀ ଗଚ୍ଛିତ କରାଯାଇଛି । ଜଣେ ରୋଗୀ ଆସି ସେହି ଡାକ୍ତରଖାନାରେ ତା’ର ରୋଗ ଲକ୍ଷଣ କହି ଚିକିତ୍ସା ବ୍ୟବସ୍ଥା ପାଇଁ ଅନୁରୋଧ କରିବା ମାତ୍ରେ ସେଠାରେ ରଖାଯାଇଥିବା କମ୍ପ୍ୟୁଟର ଭିତରକୁ ସେହି ରୋଗ ଲକ୍ଷଣ ଦେଇ ଦିଅନ୍ତି ବା କମ୍ପ୍ୟୁଟର ଭାଷାରେ ଫିଡ୍‍କରି ଦିଅନ୍ତି । ସେହି ତଥ୍ୟ କମ୍ପ୍ୟୁଟର ଭିତରକୁ ଚାଲିଯିବାପରେ ତାହା କମ୍ପ୍ୟୁଟର ସ୍ମୃତିରେ ଆଗରୁ ରହିଥ‌ିବା ରୋଗର ଲକ୍ଷଣ ସହିତ ପ୍ରୋସେସିଙ୍ଗ ବା ସଜ୍ଜିକରଣ ବିଭାଗରେ ତୁଳନା କରାଯାଇ ଯେଉଁ ଲକ୍ଷଣଗୁଡ଼ିକ ତାହା ସହିତ ମିଳିଯାଉଛି, ତା’ର ଯେଉଁ ଚିକିତ୍ସା କରାଯାଇଥିଲା ସେହି ଚିକିତ୍ସା ସମ୍ବନ୍ଧୀୟ ତଥ୍ୟ ଉତ୍ତର ଆକାରରେ କମ୍ପ୍ୟୁଟରର ନିର୍ଗମନ ପଥରେ ପର୍ଦ୍ଦାଉପରେ ବାହାରି ପଡ଼ୁଛି । ତେଣୁ ସେହି ରୋଗୀ ପାଇଁ ସେହିଭଳି ଚିକିତ୍ସା ବ୍ୟବସ୍ଥା କରାଯାଉଛି । ଯଦି ସେହିଭଳି ଲକ୍ଷଣଥିବା କୌଣସି ରୋଗୀ ସେହି ଡାକ୍ତରଖାନାରେ ଚିକିତ୍ସିତ ହୋଇ ନାହାନ୍ତି, ତାହା ମଧ୍ୟ ଜଣାପଡ଼ିଯାଉଛି ତେଣୁ ଅନ୍ୟ ଡାକ୍ତରଖାନାମାନଙ୍କୁ ସେହି ଲକ୍ଷଣ ସବୁ ସଙ୍ଗେ ସଙ୍ଗେ ସେଠାରୁ ଜଣାଇ ଦିଆଯାଇ ସେଠାରେ ଥ‌ିବା କମ୍ପ୍ୟୁଟର ଭିତରକୁ ତାହା ଦେଇ ତା’ର ଚିକିତ୍ସା ବ୍ୟବସ୍ଥା ଜାଣିବା ପାଇଁ ଉଦ୍ୟମ କରାଯାଇଛି । ରୋଗୀ ତ ଏଥିପାଇଁ ଦିନ ଦିନ ଅପେକ୍ଷା କରିବ ନାହିଁ । ସେଥ‌ିପାଇଁ ଅଳ୍ପ ସମୟ ଭିତରେ ଏହି କାର୍ଯ୍ୟ କରାଯାଉଛି । ଏହିପରି ବିଶେଷଜ୍ଞମାନଙ୍କ କାମ କମ୍ପ୍ୟୁଟର କରୁଛି ।

☆☆☆

 

କମ୍ପ୍ୟୁଟର ଆକାର କିପରି ଛୋଟ ଅଥଚ ଶକ୍ତିଶାଳୀ ହେଲା ?

 

କମ୍ପ୍ୟୁଟର ଗୋଟିଏ ଗଣନା ଯନ୍ତ୍ରଭାବରେ ଆରମ୍ଭ ହୋଇ ଦ୍ୱିତୀୟ ମହାଯୁଦ୍ଧ ବେଳେ ତାହା ପ୍ରକୃତ କମ୍ପ୍ୟୁଟର ରୂପ ଧାରଣ କରି କାର୍ଯ୍ୟକାରୀ ଏବଂ ଜର୍ମାନୀର ବୋମାବର୍ଷଣକାରୀ ବିମାନର ଗୁପ୍ତ ସଂକେତକୁ ଆଗରୁ ଜଣାଇ ଦେଇ ଇଂଲଣ୍ଡକୁ ଧ୍ଵଂସ ମୁଖରୁ ରକ୍ଷା କରିଥିଲା । ଦ୍ୱିତୀୟ ମହାଯୁଦ୍ଧ ପରେ କମ୍ପ୍ୟୁଟରର ଗତିକୁ ଦ୍ରୁତତର ଓ ଏହାର ଆକାରକୁ କ୍ଷୁଦ୍ରତର କରିବା ପାଇଁ ଆମେରିକା ଯୁକ୍ତରାଷ୍ଟ୍ରର ବୈଜ୍ଞାନିକମାନେ ଗବେଷଣା ଚଳାଇଥିଲେ । ୧୯୪୬ ମସିହାରେ ପେନ୍‌ସିଲଭେନିଆ ବିଶ୍ଵବିଦ୍ୟାଳୟର ବୈଜ୍ଞାନିକ ଜେ.ପି କୋର୍ଟଓଜେ ମାକେଲ ପ୍ରଥମେ ଏକ ଇଲେକ୍ଟ୍ରୋନିକ୍‌ କମ୍ପ୍ୟୁଟର ନିର୍ମାଣ କରିବାରେ ସଫଳ ହେଲେ । ଏହା ଏକ ଏନିଆକ କମ୍ପ୍ୟୁଟର ।

 

ଏହି ଇଲେକ୍ଟ୍ରୋନିକ୍‌ ଗାଣିତିକ କମ୍ପ୍ୟୁଟର ପୂର୍ବ କମ୍ପ୍ୟୁଟର ଅପେକ୍ଷା ଅତ୍ୟନ୍ତ ଦ୍ରୁତ ବେଗରେ କାର୍ଯ୍ୟକଲା । ଏଥ‌ିରେ ଏକ ସେକେଣ୍ଡ ଭିତରେ ୫ ହଜାରଟି ମିଶାଣ ଓ ୩୫୦ ଗୁଣନ ଏକାବେଳକେ କରିହେଲା । ମାତ୍ର ଏହି କମ୍ପ୍ୟୁଟରରେ ୧୮ ହଜାରଟି ବାୟୁଶୂନ୍ୟ ନଳୀ (ଭାକ୍ୟୁମଟିଉବ) ଏବଂ ୬୦ ହଜାର ସୁଇଚ୍‌ ବ୍ୟବହାର କରାଯାଇଥିଲା ଏବଂ ୧୫୦ କିଲୋୱାଟ ବିଦ୍ୟୁତଶକ୍ତି ଦ୍ଵାରା ଏହା ଚାଳିତ ହେଉଥିଲା । ଏହାର ମୋଟ ଓଜନ ଥିଲା ୨୬ଟନ । ଏହି କମ୍ପ୍ୟୁଟର ଦୁଇଟି କୋଠରୀ ବିଶିଷ୍ଟ ଗୋଟିଏ ଘର ମାଡ଼ିବସୁଥିଲା । ଆମେରିକା ଯୁକ୍ତରାଷ୍ଟ୍ରର ସାମରିକ ବାହିନୀଙ୍କ ଦ୍ଵାରା ଉଦ୍ଭାବିତ କ୍ଷେପଣାସ୍ତ୍ରର ଗତିକୁ ମାପିବା ଉଦ୍ଦେଶ୍ୟରେ ଏହି ପ୍ରକାର କମ୍ପ୍ୟୁଟର ନିର୍ମାଣ କରିଯାଇଥିଲା । ଏଥ‌ିରେ ସ୍ମୃତି ନିର୍ମିତ ହୋଇନଥିଲା କି ବାଇନାରୀ ସଂକେତ ବ୍ୟବହାର କରାଯାଇ ନଥିଲା । ତେଣୁ ଅନେକ କମ୍ପ୍ୟୁଟର ବୈଜ୍ଞାନିକ ଏହାକୁ ଆଧୁନିକ କମ୍ପ୍ୟୁଟର ବୋଲି ନ କହି ଇଲେକ୍ଟ୍ରୋନିକ୍‌ ଗଣନାଯନ୍ତ୍ର ବୋଲି କହିଥାନ୍ତି । ପରେ ଏହାକୁ କୁହାଯାଇଥିଲା ପ୍ରଥମ ପୁରୁଷର କମ୍ପ୍ୟୁଟର ।

 

ଏହି ପ୍ରକାରର କମ୍ପ୍ୟୁଟରରେ ବହୁ ସଂଖ୍ୟାରେ ବଡ଼ ବଡ଼ ନଳୀ ବ୍ୟବହାର କରାଯାଇଥିବାରୁ ଏହାର ଆକାର ବଡ଼ ହୋଇଯାଇଥିଲା, ତେଣୁ ଏହାକୁ ରଖିବା ପାଇଁ ବହୁତ ସ୍ଥାନ ଦରକାର ହେଉଥିଲା । ଏହିଭଳି କମ୍ପ୍ୟୁଟର ପାଇଁ ଅଧିକ ପରିମାଣ ବିଦ୍ୟୁତ ଶକ୍ତି ମଧ୍ୟ ଦରକାର ହେଉଥିଲା । ତେଣୁ ଛୋଟ ଆକାରର କମ୍ପ୍ୟୁଟର ନିର୍ମାଣ କରିବା ପାଇଁ ବୈଜ୍ଞାନିକମାନେ ଗବେଷଣା ଚଳେଇଲେ । ତା’ହେଲେ ସେଥ‌ିରେ ଅଳ୍ପ ପରିମାଣ ବିଦ୍ୟୁତଶକ୍ତିରେ ଚାଲିବା ଭଳି ଯନ୍ତ୍ରପାତି ରହିବ ଏବଂ ତାକୁ ରଖିବା ପାଇଁ ଅଳ୍ପସ୍ଥାନ ଦରକାର ହେବ । ଏହି ଗବେଷଣାରେ ସଫଳ ହୋଇଥିଲେ ତିନିଜଣ ବିଶ୍ୱବିଖ୍ୟାତ ବୈଜ୍ଞାନିକ । ସେମାନେ ହେଲେ ଜନ ବରଡ଼ିନ୍‌, ୱାଲଟର କ୍ରାଟେନ ଓ ଉଇଲିୟମ୍‌ ସକଲେ । ଆମେରିକା ଯୁକ୍ତରାଷ୍ଟ୍ରର ଏହି ତିନିଜଣ ବିଶ୍ଵବିଖ୍ୟାତ । ବୈଜ୍ଞାନିକ ଟ୍ରାନଜିଷ୍ଟର ଉଦ୍ଭାବନ ପାଇଁ ନୋବେଲ ପୁରସ୍କାର ଲାଭ କରିଥିଲେ । କମ୍ପ୍ୟୁଟରର ବିକାଶ କ୍ଷେତ୍ରରେ ଟ୍ରାନଜିଷ୍ଟର ବୈପ୍ଳବିକ ପରିବର୍ତ୍ତନ ଆଣିଦେଲା । ଟ୍ରାନ୍‌ଜିଷ୍ଟରଗୁଡ଼ିକ ଅତ୍ୟନ୍ତ କ୍ଷୁଦ୍ର ହୋଇଥିବାରୁ ପୂର୍ବରୁ ବାୟୁଶୂନ୍ୟ ନଳୀ ପରିବର୍ତ୍ତେ ଏହାକୁ ବ୍ୟବହାର କରି କମ୍ପ୍ୟୁଟରର ମସ୍ତିଷ୍କ ତିଆରି କରାଯିବାରୁ ଏଥ‌ିପାଇଁ ଅଳ୍ପ ପରିମାଣ ବିଦ୍ୟୁତ୍‌ଶକ୍ତି ମଧ୍ୟ ଦରକାର ହେଲା ଏବଂ ଦ୍ରୁତଗତିରେ ଏହା କାର୍ଯ୍ୟକଲା । କମ୍ପ୍ୟୁଟର ଭିତରେ ବିଦ୍ୟୁତ୍‌ ପ୍ରବାହକୁ ନିୟନ୍ତ୍ରଣ କରିବା ପାଇଁ ଏହା ବ୍ୟବହୃତ ହେଲା । ୧୯୭୩ ମସିହାରେ ପ୍ରଥମେ ଏହି ଟ୍ରାନ୍‌ଜିଷ୍ଟର ବ୍ୟବହାର କରାଯାଇଥିଲା । ଏହାକୁ କୁହାଗଲା ଦ୍ଵିତୀୟ ପୁରୁଷର କମ୍ପ୍ୟୁଟର ।

 

ଏହାପରେ ୧୯୭୪ ମସିହାରେ ଏହି କମ୍ପ୍ୟୁଟର ଅପେକ୍ଷା ଅଧିକ କ୍ଷୁଦ୍ର ଓ ଦ୍ରୁତ କାର୍ଯ୍ୟକ୍ଷମ ଟ୍ରାନ୍‌ଜିଷ୍ଟର ଦ୍ଵାରା ପରିଚାଳିତ କମ୍ପ୍ୟୁଟର ନିର୍ମିତ ହେଲା । ଏହାକୁ କୁହାଗଲା ସମନ୍ୱିତ ଟ୍ରାନ୍‌ଜିଷ୍ଟର ସରକିଟ୍‌ । ଏଥିରେ ଗୋଟିଏ ଟ୍ରାନ୍‌ଜିଷ୍ଟର ପରିବର୍ତ୍ତେ ଅନେକଗୁଡ଼ିଏ ଟ୍ରାନ୍‌ଜିଷ୍ଟର ଏକାଠି ରଖି ଗୋଟିକୁ ଅନ୍ୟଟି ସହିତ ଯୋଡ଼ି ସମନ୍ୱିତ କରିଦିଆଯାଏ । ଆମେରିକା ଯୁକ୍ତରାଷ୍ଟ୍ର ବୈଜ୍ଞାନିକ ଜାକବୋଲି ଏହାକୁ ଉଦ୍ଭାବନ କରିଥିଲେ । ଏହିଭଳି ସାହାଯ୍ୟରେ କମ୍ପ୍ୟୁଟରର ମସ୍ତିଷ୍କ ନିର୍ମିତ ହେଲା ଏବଂ ଏହିଭଳି କମ୍ପ୍ୟୁଟର ମସ୍ତିଷ୍କରେ ବିଦ୍ୟୁତ ପ୍ରବାହ ବହୁ ସଂଖ୍ୟାରେ ତଥ୍ୟ ଗଚ୍ଛିତ ହୋଇ ରହିପାରିଲା । ଏହି କମ୍ପ୍ୟୁଟର ଦ୍ରୁତ ଗତିରେ କାମକଲା ଏବଂ ଏହା ଅଳ୍ପ ଖର୍ଚ୍ଚରେ ତିଆରି ହୋଇପାରିଲା ।

 

ଏଠାରେ‍ ଟ୍ରାନ୍‌ଜିଷ୍ଟରର ନିର୍ମାଣ ବିଷୟରେ କିଛି ସୂଚନାଦେବା ଯଥାର୍ଥ ହେବ । ଟ୍ରାନ୍‌ଜିଷ୍ଟର ଗୋଟିଏ ଅତିକ୍ଷୁଦ୍ର ନିଦାପଦାର୍ଥ । ବିଶୁଦ୍ଧ ବାଲିଦ୍ଵାରା ନିର୍ମିତ ସିଲିକନର ନିଦାସ୍ପଟିକ ଖଣ୍ଡକୁ ଛୋଟ ଛୋଟ କରି କାଟି ଦିଆଯାଏ । ଏହି ଛୋଟ ଧାତୁଖଣ୍ଡକୁ କୁହାଯାଏ ଟ୍ରାନ୍‌ଜିଷ୍ଟର । ବିଶୁଦ୍ଧ ବାଲିକୁ ୧୪୨୦ ଡିଗ୍ରି ଉପରେ ତରଳାଇ ଏବଂ ବିଶୁଦ୍ଧ ସିଲିକନର ମୂଳଧାତୁ ପିଣ୍ଡ ସେଥିରେ ପୂରେଇ ଦିଆ ହୋଇ କିଛି ସମୟପରେ କାଢ଼ିନିଆଯାଏ । ଏଥିରେ ୧୦ ମିଳିମିଟର ଓସାରର ଓ ଏକ ମିଲିମିଟର ଲମ୍ବର ସିଲିକନ ଧାତୁଖଣ୍ଡମାନ ତିଆରି ହୋଇଯାଏ । ସେଥିରୁ ଅଧ ମିଲିଲିଟିର ଆକାରରେ ଖଣ୍ଡେ ଖଣ୍ଡେ କାଟି ତା’ର ଗୋଟିଏ ପାଖକୁ ହୀରାଧାତୁଦ୍ୱାରା ଘଷି ତାକୁ ଟ୍ରାନ୍‍ଜିଷ୍ଟର ଭାବରେ ବ୍ୟବହାର କରାଯାଏ । ଏହି ଟ୍ରାନ୍‌ଜିଷ୍ଟର କମ୍ପ୍ୟୁଟରରେ ବ୍ୟବହାର ଫଳରେ କ୍ଷୁଦ୍ର ଆକାର ବିଶିଷ୍ଟ କମ୍ପ୍ୟୁଟର ନିର୍ମିତ ହୋଇପାରିଲା । ଏହା ମଧ୍ୟ ଅଳ୍ପ ଖର୍ଚ୍ଚରେ ନିର୍ମିତ ହେଲା ଓ ଏହା ଦୀର୍ଘକାଳ ସ୍ଥାୟୀ ହେଲା ।

☆☆☆

 

ଲେଖକ - ପରିଚୟ

 

‘କ’ଣ କାହିଁକି କିପରି ?’ ପୁସ୍ତକର ଲେଖକ ଶ୍ରୀ ବଳରାମ ମହାନ୍ତି ଓଡ଼ିଶାର ଜଣେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଓ ସୁପରିଚିତ ଲେଖକ ।

 

୧୯୧୮ ମସିହାରେ କଟକ ଜିଲ୍ଲାର ଏକପଲ୍ଲୀ ଗ୍ରାମରେ ତାଙ୍କର ଜନ୍ମ । ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନ ବେଳେ ତାଙ୍କର ପ୍ରଥମ ରଚନା ‘ବିପ୍ଳବୀ ସୁଭାଷ’ ପୁସ୍ତକ ପାଇଁ ସେ ଦଣ୍ଡିତ ହୋଇଥିଲେ ଓ ଏହି ପୁସ୍ତକଟିକୁ ସରକାର ବାଜ୍ୟାପ୍ତ କରିଦେଇଥିଲେ । ଶ୍ରୀ ମହାନ୍ତି ଦୈନିକ ‘ସମାଜ’, ‘ନବଭାରତ’ ଓ ‘ଜନତା’ ପତ୍ରିକାରେ ସହକାରୀ ସମ୍ପାଦକ ରୂପେ ସାମ୍ବାଦିକତା କ୍ଷେତ୍ରରେ ଦକ୍ଷତା ଅର୍ଜନ କରିଛନ୍ତି । ସେ ଏପର୍ଯ୍ୟନ୍ତ ୨୨ ଖଣ୍ଡି ପୁସ୍ତକ ପ୍ରଣୟନ କରି ଓଡ଼ିଶାର ଛାତ୍ର, ଶିକ୍ଷକ ଓ ବୁଦ୍ଧିଜୀବୀ ପାଠକଙ୍କ ନିକଟରେ ସୁପରିଚିତ । ସୂଚନା ଓ ନିର୍ଦ୍ଦେଶନା ସାହିତ୍ୟ କ୍ଷେତ୍ରରେ ସେ ଜଣେ ପ୍ରତିଷ୍ଠିତ ଗବେଷକ ଓ ସଂଗ୍ରାହକ । ତାଙ୍କ ରଚିତ ପୁସ୍ତକଗୁଡିକ ଭିତରେ ‘Introducing Orissa’, ‘ଓଡ଼ିଶା ପରିଚୟ’, ‘ଓଡ଼ିଶା ଶାସନ’, ‘ଓଡ଼ିଶାର ରାଜନୈତିକ ଇତିହାସ’, ‘ଓଡ଼ିଶା ଆନ୍ଦୋଳନର ଇତିହାସ’, ‘ଓଡ଼ିଶାରେ ନିର୍ବାଚନ’, ‘ଯୁଗଜ୍ୟୋତି ଜବାହରଲାଲ’, ‘ଭାରତ ପରିଚୟ’ ‘ମହାକାଶ ଭ୍ରମଣ କାହାଣୀ’, ‘ବିଶ୍ୱର ଜନ୍ମ କାହାଣୀ’, ‘ସୌରଜଗତର କାହାଣୀ’, ‘ଓଡିଶାର ଜିଲ୍ଲା ପରିଚୟ’ ଏବଂ ‘ଗାନ୍ଧୀ ବିଚାର ଗ୍ରନ୍ଥମାଳା’ (୧୦ ଖଣ୍ଡରେ ବିଭକ୍ତ) ପ୍ରଭୃତି ଉଲ୍ଲେଖଯୋଗ୍ୟ । ତାଙ୍କ ଦ୍ଵାରା ସମ୍ପାଦିତ ‘କୋଣାର୍କ ଜ୍ଞାନ-ବିଜ୍ଞାନ ପରିଚୟ’ ଗତ ୧୭ ବର୍ଷ ଧରି ଏକ ଲୋକପ୍ରିୟ ସାଧାରଣଜ୍ଞାନ ପୁସ୍ତକ ଭାବରେ ପ୍ରକାଶିତ ହୋଇଆସୁଛି । ବିଜ୍ଞାନକୁ ଓଡ଼ିଆରେ ଲୋକପ୍ରିୟ କରିବା ପାଇଁ ତାଙ୍କ ପ୍ରଣୀତ ‘‘ମହାକାଶ ଭ୍ରମଣ କାହାଣୀ” ୧୯୮୩ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟଠାରୁ ସ୍ଵର୍ଣ୍ଣ ପଦକ ଲାଭ କରିଥିଲା । ସେ ତାଙ୍କ ସାହିତ୍ୟିକ କୃତି ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ‘ଇମ୍‌ଫା’ ସଂସ୍ଥାଙ୍କ ଦ୍ଵାରା ଶାରଳା ପୁରସ୍କାର ପ୍ରଦାନ ଉତ୍ସବରେ ସମ୍ମାନିତ ହୋଇଛନ୍ତି ।

Image